ବନ ବିଭାଗର ଚଢ଼ାଉ ବେଳେ ଡ୍ରାଇଭର ଫେରାର
ଜଳେଶ୍ୱର, (ଓଡ଼ିଶ୍ରୀ ସମ୍ବାଦ): ବାଲେଶ୍ୱର ଜିଲ୍ଲାର ରାଇବଣିଆ ଅଞ୍ଚଳରେ କାଠ ଚାଲାଣ ଅଭିଯୋଗ ପୁଣି ସାମ୍ନାକୁ ଆସିଛି। ଖୁଆଡ଼ ପଞ୍ଚାୟତ ଅନ୍ତର୍ଗତ ମଞ୍ଚପୁର ରାସ୍ତାରେ ଶାଗୁଆନ ଓ ତୋଡ଼ରା କାଠ ନେଇ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଏକ ପିକଅପ୍ ଗାଡ଼ିକୁ ବନ ବିଭାଗ ଜବତ କରିଛି। ଚଢ଼ାଉ ସମୟରେ ଗାଡ଼ିର ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ରାଇବଣିଆ ଅଞ୍ଚଳରେ ସରକାରୀ ଜମିରେ ଥିବା ଶାଳ ସମେତ ବିଭିନ୍ନ ପ୍ରଜାତିର ଗଛ ଓ ଘଞ୍ଚ ଜଙ୍ଗଲ ରହିଛି। ଏହି ଅଞ୍ଚଳରୁ ମୂଲ୍ୟବାନ କାଠ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି। ପିକଅପ୍, ଭୁଟଭୁଟି ଓ ଠେଲା ରିକ୍ସା ଭଳି ଯାନରେ କାଠ ନିଆଯାଉଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ରହିଛି।
ଗତ ଶନିବାର ବରଡ଼ିହା ଫରେଷ୍ଟର କାର୍ଯ୍ୟାଳୟ ଅଧୀନରେ ଥିବା ମଞ୍ଚପୁର ରାସ୍ତାରେ ଓଆର୍-୧୧-ଏଚ୍-୬୬୫୯ ନମ୍ବର ବିଶିଷ୍ଟ ଏକ ପିକଅପ୍ରେ ଶାଗୁଆନ ଓ ତୋଡ଼ରା କାଠ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ଖବର ପାଇ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା।
ଜଳେଶ୍ୱର ରେଞ୍ଜର ଶିଶିର କୁମାର ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ଚଢ଼ାଉ କରିଥିଲା। ବନ ବିଭାଗର ଟିମ୍କୁ ଦେଖି ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲେ। ପରେ ଗାଡ଼ି ସହ ସମସ୍ତ କାଠ ଜବତ କରାଯାଇ ବରଡ଼ିହା କାର୍ଯ୍ୟାଳୟରେ ରଖାଯାଇଥିବା ସୂଚନା ମିଳିଛି।
ଏହି ଚଢ଼ାଉରେ ଫରେଷ୍ଟ ଗାର୍ଡ ଶୁକ ଚରଣ ବେହେରା, ଶିବ ମହାନ୍ତି, ରାଜା ସୋରେନ, ଉଜ୍ଜ୍ୱଳ ଦାସ, ପଞ୍ଚାନନ ବେହେରା ଓ ସୁଶୀଲ ମହନ୍ତ ପ୍ରମୁଖ ସାମିଲ ହୋଇଥିଲେ।
ରାଇବଣିଆ ଅଞ୍ଚଳରେ କାଠ ଚାଲାଣ ରୋକିବା ପାଇଁ ବନ ବିଭାଗର ନିୟମିତ ନଜରଦାରି ଓ ଯାଞ୍ଚ ଆବଶ୍ୟକ ବୋଲି ସ୍ଥାନୀୟ ମହଲରେ ମତ ପ୍ରକାଶ ପାଇଛି।
