ବିସିଜେଡି ଛାତ୍ରନେତା ଓ କର୍ମୀଙ୍କ ସହ ବିଜେଡି ନେତାଙ୍କ ଆଲୋଚନା
ଜଳେଶ୍ୱର, (ଓଡ଼ିଶ୍ରୀ ସମ୍ବାଦ): ଉତ୍ତର ବାଲେଶ୍ୱରର ସର୍ବପୁରାତନ ଉଚ୍ଚଶିକ୍ଷା ଅନୁଷ୍ଠାନ ଦୀନକୃଷ୍ଣ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିୟାକୁ ନେଇ ଗତ ଶନିବାର ଦେଖାଦେଇଥିବା ବିବାଦକୁ ନେଇ ରାଜନୈତିକ ତତ୍ପରତା ବଢ଼ିଛି। ଏହି ଘଟଣାରେ ଜଣେ କର୍ମୀ ଗୁରୁତର ଆହତ ହୋଇଥିବା ଅଭିଯୋଗ ପରେ ବିଜେଡିର କେତେକ ନେତା ଛାତ୍ରନେତା ଓ କର୍ମୀଙ୍କ ସହ ଆଲୋଚନା କରିଛନ୍ତି।
ଆହତ ବ୍ୟକ୍ତି ଡାକ୍ତରଖାନାରେ ଚିକିତ୍ସାଧୀନ ଥିବାବେଳେ ଘଟଣାକୁ ନେଇ ପୁଲିସର କାର୍ଯ୍ୟଧାରା ଉପରେ ବିଜେଡି ନେତାମାନେ ଅସନ୍ତୋଷ ପ୍ରକାଶ କରିଥିବା ସୂଚନା ମିଳିଛି। ଘଟଣାରେ ନ୍ୟାୟ ପ୍ରଦାନ ପାଇଁ ସେମାନେ ପ୍ରଶାସନ ଓ ପୁଲିସକୁ ଆହ୍ୱାନ ଦେଇଛନ୍ତି।
ଏଥିସହ ଛାତ୍ରଛାତ୍ରୀ ଓ କର୍ମୀମାନେ ଶୃଙ୍ଖଳିତ ଭାବେ ନିର୍ବାଚନରେ ଭାଗ ନେବା, ପରସ୍ପରକୁ ଉତ୍ସାହିତ କରିବା ଏବଂ କୌଣସି ପ୍ରକାର ଉତ୍ତେଜନାମୂଳକ ବକ୍ତବ୍ୟ ନଦେବାକୁ ନେତାମାନେ ପରାମର୍ଶ ଦେଇଛନ୍ତି।
ଏହି ଆଲୋଚନାରେ ବିଜେଡିର ରାଜ୍ୟ ଉପସଭାପତି ଲେଖାଶ୍ରୀ ସାମନ୍ତସିଂହାର, ବିଧାୟକ ଅଶ୍ୱିନୀ ପାତ୍ର, ଲେଲିନ ପ୍ରଧାନ ଓ ଅନୁସୂୟା ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ। ମହାବିଦ୍ୟାଳୟରେ ନିର୍ବାଚନୀ ପରିବେଶ ମଧ୍ୟରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ସହ ଘଟଣାର ନିରପେକ୍ଷ ତଦନ୍ତ ଓ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଛି।
