ଧର୍ମଶାଳା (ଓଡ଼ିଶ୍ରୀ ସମ୍ବାଦ): ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଗ୍ରାମର ଅସହାୟ ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ଏହି ଟ୍ରଷ୍ଟ ଜରିଆରେ ଅସହାୟ ଲୋକଙ୍କୁ ସହାୟତାର ହାତ ବଢ଼ାଯାଇଛି।
ବିଧାୟକ ଶ୍ରୀ ସାହୁଙ୍କ ନିର୍ଦ୍ଦେଶକ୍ରମେ ଟ୍ରଷ୍ଟର ସଦସ୍ୟମାନେ ବିଭିନ୍ନ ପଞ୍ଚାୟତରେ ରହୁଥିବା ଅସହାୟ ଓ ଆର୍ଥିକ ଅନାଟନରେ ଥିବା ପରିବାରଗୁଡ଼ିକୁ ଚିହ୍ନଟ କରି ସେମାନଙ୍କ ଘରେ ପହଞ୍ଚି ସହାୟତା ପ୍ରଦାନ କରିଛନ୍ତି।
ସ୍ୱାମୀଙ୍କ ଅସୁସ୍ଥତା ଯୋଗୁଁ ଆର୍ଥିକ ସମସ୍ୟାରେ ଥିବା ରାଇଛନ୍ଦା ପଞ୍ଚାୟତର ହିନା ମଳିକ ଏବଂ ଆର୍ଥିକ ଅନଟନରେ ଦିନ କାଟୁଥିବା ଏଣ୍ଡଳବା ପଞ୍ଚାୟତ ତେନ୍ତୋଳା ଗ୍ରାମର ରାଧା ଦେଉରୀଙ୍କୁ ସହାୟତା ଯୋଗାଇ ଦିଆଯାଇଛି।
ସେହିପରି ଝିଅର ପାଠପଢ଼ା ପାଇଁ ସାଇକେଲ ଆବଶ୍ୟକ କରୁଥିବା ତାଳଜଙ୍ଗ ପଞ୍ଚାୟତର ରବିନ୍ଦ୍ର ଦାସ, ବ୍ରହ୍ମପୁରରେ ଶାରୀରିକ ଶିକ୍ଷା ଗ୍ରହଣ ପାଇଁ ଆର୍ଥିକ ସହାୟତା ଆବଶ୍ୟକ କରୁଥିବା ସମ୍ପାରୁ ପଞ୍ଚାୟତ କାଦୁଅମାଗୁରା ଗ୍ରାମର ସତ୍ୟ ପ୍ରକାଶ ବାରିକ, ଉଚ୍ଚଶିକ୍ଷା ପାଇଁ କ୍ଷେତ୍ରପାଳ ପଞ୍ଚାୟତ ଗୋପାଳପୁର ଗ୍ରାମର ମାନସ ରଞ୍ଜନ ସାହୁ ଓ ଅରେଇକଣା ପଞ୍ଚାୟତର ମନୀଷା ରାୟଙ୍କୁ ମଧ୍ୟ ସହାୟତା ପ୍ରଦାନ କରାଯାଇଛି।
ଏହା ବ୍ୟତୀତ ଚିକିତ୍ସା ପାଇଁ ରସୁଲପୁର ପଞ୍ଚାୟତ ଖଣ୍ଡିତର ଗ୍ରାମର ପ୍ରଦୀପ କୁମାର କର ଏବଂ ମର୍ଜିତାପୁର ପଞ୍ଚାୟତ ନୂଆସାହି ଗ୍ରାମର ଅନାଥ ନିଖିଳ ନାଥଙ୍କୁ ମଧ୍ୟ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି।
ଅସହାୟ ଓ ଆର୍ଥିକ ଭାବେ ଦୁର୍ବଳ ଲୋକଙ୍କୁ ଚିହ୍ନଟ କରି ଟ୍ରଷ୍ଟ ପକ୍ଷରୁ ଏଭଳି ସହାୟତା ଆଗକୁ ମଧ୍ୟ ଜାରି ରହିବ ବୋଲି ବିଧାୟକ ହିମାଂଶୁ ଶେଖର ସାହୁ ସୂଚନା ଦେଇଛନ୍ତି।
