• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଗାଲେରି ଦଣ୍ଡପାଣି ମହାରଥା ବିଜ୍ଞାନ ମହାବିଦ୍ୟାଳୟର ୩୬ତମ ସ୍ୱନକ୍ଷତ୍ର ଉତ୍ସବ ପାଳିତ

Byodishri Live

Oct 15, 2026

ଭଞ୍ଜନଗର/ଜଗନ୍ନାଥ, (ଓଡ଼ିଶ୍ରୀ ସମ୍ବାଦ): ଗଞ୍ଜାମ ଜିଲ୍ଲାର ଗାଲେରିସ୍ଥିତ ଦଣ୍ଡପାଣି ମହାରଥା ବିଜ୍ଞାନ ମହାବିଦ୍ୟାଳୟର ୩୬ତମ ସ୍ୱନକ୍ଷତ୍ର ଉତ୍ସବ ଗୁରୁବାର ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ କଲେଜ ପ୍ରତିଷ୍ଠା କମିଟିର ସଦସ୍ୟ ତଥା ଢୋଲପିଟା ଗ୍ରାମର ଶଶୀଭୂଷଣ ଗୌଡ଼ ମୁଖ୍ୟ ଅତିଥି ଏବଂ ନାରିଙ୍ଗଝୋଳା ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀ ତଥା ସମାଜସେବୀ ଶୁଭକାନ୍ତ ନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ।

ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ କରିବା ସହ ମହାବିଦ୍ୟାଳୟର ପ୍ରତିଷ୍ଠା କମିଟିର ସଭାପତି ତଥା ଭଞ୍ଜନଗରର ପୂର୍ବତନ ବିଧାୟକ ସ୍ୱର୍ଗତ ରାମକୃଷ୍ଣ ଗୌଡ଼ଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଉତ୍ସବର ଶୁଭାରମ୍ଭ କରିଥିଲେ। ଏହାପରେ ରାମକୃଷ୍ଣ ଗୌଡ଼ଙ୍କ ସମେତ ପରଲୋକଗତ ପ୍ରତିଷ୍ଠା କମିଟିର ସଦସ୍ୟମାନଙ୍କ ଆତ୍ମାର ସଦ୍‌ଗତି କାମନା କରି ଦୁଇ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା।

୧୯୯୦ ମସିହାରେ ପ୍ରତିଷ୍ଠିତ ଏହି ମହାବିଦ୍ୟାଳୟ ଗାଲେରି ଓ ଆଖପାଖ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷାର ସୁଯୋଗ ଯୋଗାଇ ଆସୁଛି। ଦୀର୍ଘ ୩୬ ବର୍ଷ ଧରି ଉଚ୍ଚଶିକ୍ଷାର ବିକାଶ ଦିଗରେ ଅନୁଷ୍ଠାନର ପ୍ରୟାସକୁ ଅତିଥିମାନେ ପ୍ରଶଂସା କରିବା ସହ ମହାବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।

ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳା, ସମୟାନୁବର୍ତ୍ତିତା, ଆଧ୍ୟାତ୍ମିକତା ଓ କଠିନ ପରିଶ୍ରମକୁ ଜୀବନର ମୂଳମନ୍ତ୍ର କରି ଜଣେ ଜଣେ ଭଲ ମଣିଷ ହେବା ସହ ମହାବିଦ୍ୟାଳୟର ଗୌରବ ବୃଦ୍ଧି କରିବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ। ଉତ୍ସବ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।

ଏଥିସହ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଏନ୍‌ଏସ୍‌ଏସ୍‌ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ଶ୍ରେଷ୍ଠ ପ୍ରୋଗ୍ରାମ ଅଫିସର ଭାବେ ସମ୍ମାନିତ ହୋଇଥିବା ଅଧ୍ୟାପକ ଦୁର୍ଗା ମାଧବ ଦାଶଙ୍କୁ ମହାବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅଧ୍ୟକ୍ଷ ସୁଶାନ୍ତ କୁମାର ନାୟକ ତାଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ପ୍ରଶଂସାପତ୍ର ପ୍ରଦାନ କରିଥିଲେ।

ଛାତ୍ରୀ ମନସ୍ମିତା ସାହୁ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବାବେଳେ ଅଧ୍ୟାପକ ଦୁର୍ଗା ମାଧବ ଦାଶ ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ବିରୁପାକ୍ଷ ସାହୁ ଅନ୍ତିମ ସଙ୍ଗୀତ ଗାନ କରିଥିବାବେଳେ ପ୍ରଶାନ୍ତ ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଶାନ୍ତ, ବିରୁପାକ୍ଷ, ବଙ୍ଗାଳୀ, ପ୍ରଦୀପ, ଲକି, ଝୁମୁରୀ, ଜ୍ୟୋତିରାଦିତ୍ୟ, ରୁଦ୍ର, ବନ୍ଦିତାଙ୍କ ସମେତ ଅନ୍ୟ ଛାତ୍ରଛାତ୍ରୀ ସହଯୋଗ କରିଥିଲେ। ଉତ୍ସବରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *