ଭୁବନେଶ୍ୱର (ଓଡ଼ିଶ୍ରୀ ସମ୍ବାଦ): ୯ ତାରିଖରୁ ରାଜ୍ୟରେ ବଢ଼ିପାରେ ବର୍ଷାର ପରିମାଣ। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏହି ସମୟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା ବଢ଼ିବା ସହ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ବର୍ତ୍ତମାନ ମୌସୁମୀ ବାୟୁ ଶ୍ରୀଗଙ୍ଗାନଗରରୁ ଉତ୍ତରପ୍ରଦେଶ ଦେଇ ଉତ୍ତର-ପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି।
ଅନ୍ୟପକ୍ଷରେ, ଗତ ୨୪ ଘଣ୍ଟାରେ ରାଜ୍ୟର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇଥିଲେ ମଧ୍ୟ ତାପମାତ୍ରା ଉପରମୁହାଁ ରହିଛି। ଟାଣଖରା ସାଙ୍ଗକୁ ପ୍ରବଳ ଗୁଳୁଗୁଳି ଯୋଗୁଁ ଲୋକେ ଅସ୍ତବ୍ୟସ୍ତ ହେଉଛନ୍ତି।
ପାଣିପାଗ କେନ୍ଦ୍ରର ତଥ୍ୟ ଅନୁଯାୟୀ, ସୋମବାର ରାଜ୍ୟର ୩୯ଟି ସହରରେ ତାପମାତ୍ରା ୩୦ ଡିଗ୍ରୀ ଉପରେ ରହିଥିଲା। ଗତ ୪ ଦିନ ଧରି ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର ଭାବେ ରହିଛି। ସୋମବାର ଏଠାରେ ସର୍ବାଧିକ ୩୭.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।
ସେହିପରି ପୁରୀରେ ୩୬.୨, ଭୁବନେଶ୍ୱର ଓ ନୟାଗଡ଼ରେ ୩୬, ଚାନ୍ଦବାଲିରେ ୩୫.୭, ଭଦ୍ରକରେ ୩୫.୫, ଢେଙ୍କାନାଳରେ ୩୫.୪, କଟକରେ ୩୫.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।
