ସୁନ୍ଦରଗଡ଼ (ଓଡ଼ିଶ୍ରୀ ସମ୍ବାଦ): ମହାବୀର ଛକ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଅଲ୍ଟୋ କାରକୁ ପଛପଟୁ ଆସୁଥିବା ପିକଅପ୍ ଭ୍ୟାନ୍ ଧକ୍କା ଦେବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ସୁନ୍ଦରଗଡ଼ରୁ ଏକ ଅଲ୍ଟୋ କାରରେ ତିନିଜଣ କୁରେଇବଗା ଗାଁକୁ ଫେରୁଥିଲେ। ଏହି ସମୟରେ ମହାବୀର ଛକ ନିକଟରେ ପଛପଟୁ ଆସୁଥିବା ଏକ ପିକଅପ୍ ଭ୍ୟାନ୍ ଅଲ୍ଟୋ କାରକୁ ଜୋରଦାର ଧକ୍କା ଦେଇଥିଲା।
ଦୁର୍ଘଟଣାରେ କୁରେଇବଗା ଗ୍ରାମର ୬୫ ବର୍ଷୀୟ ସନ୍ତୋଷ କୁମାର ପୃଷେଟଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଲେଫ୍ରିପଡ଼ା ଅଞ୍ଚଳର କୁଲାବିରା ଗ୍ରାମର ୫୫ ବର୍ଷୀୟ କୁବେର ଚନ୍ଦ୍ର ପୃଷେଟ ଏବଂ ବାରବ ଗ୍ରାମର ରୋମାଞ୍ଜ ସାହୁ ଗୁରୁତର ଆହତ ହୋଇଛନ୍ତି।
ସୂଚନା ମୁତାବକ, କୁରେଇବଗା ଗ୍ରାମରେ ଦେମୁଲ ପୂଜା ଚାଲିଥିବାରୁ ସନ୍ତୋଷ ନିଜର ଦୁଇ ଜ୍ୱାଇଁଙ୍କୁ ଗାଁକୁ ଡାକି ନେଉଥିଲେ। ତେବେ ଗାଁରେ ପହଞ୍ଚିବା ପୂର୍ବରୁ ମହାବୀର ଛକ ନିକଟରେ ଘଟିଥିଲା ଏହି ଦୁଃଖଦ ଦୁର୍ଘଟଣା।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିବା ବେଳେ ଆହତମାନଙ୍କୁ ଚିକିତ୍ସା ପାଇଁ ନିଆଯାଇଥିବା ସୂଚନା ମିଳିଛି। ଘଟଣାକୁ ନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।
