କେନ୍ଦୁଝର (ଓଡ଼ିଶ୍ରୀ ସମ୍ବାଦ): କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ରାଜନଗର ପଞ୍ଚାୟତର ଢ଼ୀପା ସାହି ନିକଟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପୁଅର ମାଡ଼ରେ ବାପାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଘଟଣା ପରେ ଅଭିଯୁକ୍ତ ପୁଅ ତୁରୁମୁଙ୍ଗା ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ମୃତକ ପୂର୍ଣ୍ଣ ମୁଣ୍ଡାଙ୍କର ତାଙ୍କ ବୋହୂଙ୍କ ସହ କୌଣସି କାରଣକୁ ନେଇ ପ୍ରଥମେ ବଚସା ହୋଇଥିଲା। ପରେ ସେ ନିଜ ସ୍ତ୍ରୀଙ୍କ ନିକଟକୁ ଚାଲିଯାଇଥିଲେ। ଗାଈ ଚରାଇ ଘରକୁ ଫେରିବା ପରେ ଖାଇବାକୁ ମାଗିବା ସମୟରେ ପୁଣିଥରେ ବୋହୂଙ୍କ ସହ ତାଙ୍କର ବଚସା ହୋଇଥିବା ଅଭିଯୋଗ ରହିଛି।
ଏହି ସମୟରେ ପୂର୍ଣ୍ଣ ମୁଣ୍ଡାଙ୍କ ପୁଅ ଶ୍ରୀକାନ୍ତ ମୁଣ୍ଡା କାମରୁ ଘରକୁ ଫେରିଥିଲେ। ସେ ନିଶାସକ୍ତ ଅବସ୍ଥାରେ ଥିବା ବେଳେ ତାଙ୍କ ସ୍ତ୍ରୀ ବାପା ଓ ବୋହୂଙ୍କ ମଧ୍ୟରେ ହୋଇଥିବା ବଚସା ସମ୍ପର୍କରେ କହିଥିଲେ। ଏହାକୁ ନେଇ ଶ୍ରୀକାନ୍ତ ଉତ୍ତେଜିତ ହୋଇ ବାପା ପୂର୍ଣ୍ଣ ମୁଣ୍ଡାଙ୍କୁ ଏକ ଠେଙ୍ଗାରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
ପୁଅକୁ ଅଟକାଇବାକୁ ଯାଇଥିବା ତାଙ୍କ ମାଆଙ୍କୁ ମଧ୍ୟ ଶ୍ରୀକାନ୍ତ ମାଡ଼ ମାରିଥିବା ଅଭିଯୋଗ ରହିଛି। ଏହି ସମୟରେ ପୂର୍ଣ୍ଣ ମୁଣ୍ଡା ଘଟଣାସ୍ଥଳରେ ଟଳି ପଡ଼ିଥିଲେ।
ଘଟଣା ପରେ ଶ୍ରୀକାନ୍ତ ମୁଣ୍ଡା ନିଜେ ତୁରୁମୁଙ୍ଗା ଥାନାରେ ପହଞ୍ଚି ଆତ୍ମସମର୍ପଣ କରିବା ସହ ଘଟଣା ସମ୍ପର୍କରେ ପୋଲିସକୁ କହିଥିବା ସୂଚନା ମିଳିଛି।
ଖବର ପାଇ ତୁରୁମୁଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ଶ୍ରୀକାନ୍ତ ଏକା ଅଭିଯୁକ୍ତ କିମ୍ବା ଅନ୍ୟ କେହି ଏଥିରେ ସମ୍ପୃକ୍ତ ଅଛନ୍ତି କି ନାହିଁ, ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।
