• Wed. Sep 16th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ପ୍ରେମୀଯୁଗଳଙ୍କ ବିଷପାନ, ପ୍ରେମିକା ମୃତ; ପ୍ରେମିକ ଗୁରୁତର

Byodishri Live

Sep 11, 2026

ନୂଆପଡ଼ା (ଓଡ଼ିଶ୍ରୀ ସମ୍ବାଦ): ପ୍ରେମ ସମ୍ପର୍କକୁ ନେଇ ଏକ ଅଭାବନୀୟ ଘଟଣାରେ କୀଟନାଶକ ପିଇ ଜୀବନ ହାରିଛନ୍ତି ଜଣେ ନାବାଳିକା। ଏହି ଘଟଣାରେ ତାଙ୍କ ପ୍ରେମିକ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ଘଟଣାଟି ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅଞ୍ଚଳରେ ଘଟିଛି।

ସୂଚନା ଅନୁଯାୟୀ, ସିନାପାଲି ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକା ଓ ସାଲେବିହିଡି ଗାଁର ୨୨ ବର୍ଷୀୟ ମନୋଜ ସାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ଗତକାଲି ରାତିରେ ଉଭୟ ଘରୁ ଲୁଚି ପଳାଇ ଏକ ଚାଷଜମିରେ ରାତ୍ରିଯାପନ କରିଥିବା ଜଣାପଡ଼ିଛି।

ଗୁରୁବାର ସକାଳେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିବା ବେଳେ ପରେ ଉଭୟ କୀଟନାଶକ ପିଇ ଦେଇଥିଲେ। କିଛି ସମୟ ପରେ ପରିବାର ଲୋକଙ୍କୁ ଏନେଇ ଜଣାଇଥିଲେ। ପରିବାର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ପ୍ରଥମେ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ଏବଂ ପରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।

ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ନାବାଳିକାଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟପଟେ ମନୋଜ ସା ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।

ଘଟଣାର ଖବର ପାଇ ସିନାପାଲି ଥାନା ପୁଲିସ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରିଛି। ନୂଆପଡ଼ା ଅତିରିକ୍ତ ତହସିଲଦାର ଦିଲୀପ ପାତ୍ର ମାଜିଷ୍ଟ୍ରେଟ ଦାୟିତ୍ୱରେ ହସ୍ପିଟାଲରେ ପହଞ୍ଚି ପରିବାର ଲୋକଙ୍କ ବୟାନ ରେକର୍ଡ କରିବା ସହ ପଞ୍ଚନାମା କରିଥିଲେ।

ତେବେ ଉଭୟ କେଉଁ କାରଣରୁ କୀଟନାଶକ ପିଇଥିଲେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି। ନାବାଳିକାଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ।

Spread the love

Leave a Reply

Your email address will not be published. Required fields are marked *