• Wed. Sep 16th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

୨୫ ବର୍ଷ ପରେ ବି ଅମର ୯/୧୧, ଫ୍ଲାଇଟ୍ ୯୩ ଯାତ୍ରୀଙ୍କ ସାହସର କାହାଣୀ

Byodishri Live

Sep 11, 2026

(ଓଡ଼ିଶ୍ରୀ ସମ୍ବାଦ) ୨୦୦୧ ମସିହା ସେପ୍ଟେମ୍ବର ୧୧। ଆମେରିକା ଇତିହାସର ଏକ କଳା ଦିନ। ଆଲ୍-କାଏଦାର ୧୯ ଜଣ ଆତଙ୍କବାଦୀ ୪ଟି ବିମାନ ହାଇଜ୍ୟାକ୍ କରି ଆମେରିକାର ୱାର୍ଲ୍ଡ ଟ୍ରେଡ୍ ସେଣ୍ଟର ଓ ପେଣ୍ଟାଗନ୍‌କୁ ଟାର୍ଗେଟ୍ କରିଥିଲେ। ଏହି ଭୟାବହ ଆତଙ୍କବାଦୀ ଆକ୍ରମଣରେ ୨,୯୭୭ ଜଣଙ୍କ ଜୀବନ ଯାଇଥିଲା। ଆଜି ଏହି ଘଟଣାକୁ ୨୫ ବର୍ଷ ପୂରିଛି।

ତେବେ ୯/୧୧ ଆକ୍ରମଣ ସମୟରେ ହାଇଜ୍ୟାକ୍ ହୋଇଥିବା ୟୁନାଇଟେଡ୍ ଏୟାରଲାଇନ୍ସ ଫ୍ଲାଇଟ୍ ୯୩ର ଯାତ୍ରୀମାନଙ୍କ ସାହସ ଆଜି ବି ଇତିହାସରେ ସ୍ମରଣୀୟ। ଏହି ବିମାନଟି ଆମେରିକାର ରାଜଧାନୀ ଅଞ୍ଚଳର ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ସ୍ଥାନକୁ ଟାର୍ଗେଟ୍ କରିବା ପାଇଁ ବ୍ୟବହୃତ ହେବାର ଯୋଜନା ଥିବା ତଦନ୍ତରୁ ଜଣାପଡ଼ିଥିଲା।

ଫ୍ଲାଇଟ୍ ୯୩ରେ ଥିବା ଯାତ୍ରୀ ଟମ୍ ବର୍ନେଟ୍ ତାଙ୍କ ପତ୍ନୀ ଡିନାଙ୍କୁ ଫୋନ୍ କରି ବିମାନ ହାଇଜ୍ୟାକ୍ ହୋଇଥିବା ସୂଚନା ଦେଇଥିଲେ। ଡିନା ଟିଭିରେ ୱାର୍ଲ୍ଡ ଟ୍ରେଡ୍ ସେଣ୍ଟର ଓ ପେଣ୍ଟାଗନ୍ ଉପରେ ହୋଇଥିବା ଆକ୍ରମଣ ବିଷୟରେ ତାଙ୍କୁ ଜଣାଇଥିଲେ। ଏହାପରେ ବିମାନଟିକୁ ଆତଙ୍କବାଦୀମାନେ ଏକ ବଡ଼ ଆକ୍ରମଣ ପାଇଁ ବ୍ୟବହାର କରିପାରନ୍ତି ବୋଲି ଯାତ୍ରୀମାନେ ବୁଝିପାରିଥିଲେ।

ଏହାପରେ କିଛି ଯାତ୍ରୀ ଏକାଠି ହୋଇ ହାଇଜ୍ୟାକରମାନଙ୍କୁ ପ୍ରତିରୋଧ କରିବାକୁ ନିଷ୍ପତ୍ତି ନେଇଥିଲେ। ସକାଳ ପ୍ରାୟ ୯ଟା ୫୭ରେ ଯାତ୍ରୀମାନେ କକପିଟ୍‌ ଦିଗକୁ ଆଗକୁ ବଢ଼ି ହାଇଜ୍ୟାକରମାନଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ।

ଯାତ୍ରୀଙ୍କ ପ୍ରତିରୋଧ ମଧ୍ୟରେ ଫ୍ଲାଇଟ୍ ୯୩ ପେନସିଲଭାନିଆର ଶାଙ୍କସଭିଲ୍ ନିକଟ ଏକ ଖୋଲା ପଡ଼ିଆରେ ଧ୍ୱଂସ ହୋଇଥିଲା। ବିମାନରେ ଥିବା ୪୦ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା। ତେବେ ଯାତ୍ରୀମାନଙ୍କ ପ୍ରତିରୋଧ ଯୋଗୁଁ ବିମାନଟି ତାହାର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିନଥିଲା।

୯/୧୧ କମିଶନ୍‌ର ରିପୋର୍ଟ ଅନୁଯାୟୀ, ଫ୍ଲାଇଟ୍ ୯୩କୁ ଆମେରିକାର କ୍ୟାପିଟଲ୍ କିମ୍ବା ହ୍ୱାଇଟ୍ ହାଉସ୍ ଭଳି ଗୁରୁତ୍ୱପୂର୍ଣ୍ଣ ସରକାରୀ ସ୍ଥାନ ଉପରେ ଆକ୍ରମଣ ପାଇଁ ବ୍ୟବହାର କରାଯିବାର ସମ୍ଭାବନା ଥିଲା। ଯାତ୍ରୀମାନଙ୍କ ସାହସ ଓ ପ୍ରତିରୋଧ ଫଳରେ ଏହି ଷଡ଼ଯନ୍ତ୍ର ସଫଳ ହୋଇପାରିନଥିଲା।

Spread the love

Leave a Reply

Your email address will not be published. Required fields are marked *