ଭୁବନେଶ୍ୱର: ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଖାଲି ପଡ଼ିଥିବା ସ୍ନାତକୋତ୍ତର (ପିଜି) ସିଟ୍ରେ ନାମଲେଖା ପାଇଁ ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ପ୍ରକ୍ରିୟା ଆରମ୍ଭ ହୋଇଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ହେଉଥିବା ଏହି ନାମଲେଖା ପ୍ରକ୍ରିୟାରେ ଆଗ୍ରହୀ ଓ ଯୋଗ୍ୟ ଛାତ୍ରଛାତ୍ରୀ ସାମ୍ (SAMS) ୱେବସାଇଟ୍ ମାଧ୍ୟମରେ ଆବେଦନ କରିପାରିବେ।
ସୂଚନା ଅନୁଯାୟୀ, ସେପ୍ଟେମ୍ବର ୧୨ରୁ ୨୧ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ କମନ୍ ଆପ୍ଲିକେସନ୍ ଫର୍ମ (CAF) ପୂରଣ କରିପାରିବେ। ଏହାପରେ ସେପ୍ଟେମ୍ବର ୨୪ରେ ପ୍ରଥମ ରାଉଣ୍ଡର ପ୍ରୋଭିଜନାଲ୍ ଆଲଟମେଣ୍ଟ ତାଲିକା ପ୍ରକାଶ ପାଇବ।
ସେପ୍ଟେମ୍ବର ୨୫ରୁ ୨୮ ତାରିଖ ମଧ୍ୟରେ ଚୟନ ହୋଇଥିବା ଛାତ୍ରଛାତ୍ରୀ ଇଣ୍ଟିମେସନ୍ ଲେଟର ଡାଉନଲୋଡ୍ କରିବା ସହ ଅନଲାଇନ୍ରେ ନାମଲେଖା ଫି’ ଦାଖଲ କରି ସମ୍ପୃକ୍ତ ଉଚ୍ଚଶିକ୍ଷାନୁଷ୍ଠାନରେ ନାମଲେଖା କରିପାରିବେ।
ଅନ୍ୟପକ୍ଷରେ, ଅପେକ୍ଷାରତ ଛାତ୍ରଛାତ୍ରୀଙ୍କ ପାଇଁ ସେପ୍ଟେମ୍ବର ୨୯ ଓ ୩୦ ତାରିଖରେ ଆବଶ୍ୟକୀୟ ଡକ୍ୟୁମେଣ୍ଟ ସହ ସମ୍ପୃକ୍ତ ଉଚ୍ଚଶିକ୍ଷାନୁଷ୍ଠାନରେ ଫିଜିକାଲ୍ ରିପୋର୍ଟିଂର ସୁଯୋଗ ରହିଛି।
ଅକ୍ଟୋବର ୧ ତାରିଖରେ ରିପୋର୍ଟିଂ କରିଥିବା ଅପେକ୍ଷାରତ ଛାତ୍ରଛାତ୍ରୀଙ୍କ ମେଧା ତାଲିକା ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
