• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି ଜୋରଦାର

Byodishri Live

Oct 28, 2026

୮ ଜିଲ୍ଲାକୁ ୧୯ କୋଟି ଟଙ୍କାର ସହାୟତା, ୪୬୬ ଆଶ୍ରୟସ୍ଥଳୀ ପ୍ରସ୍ତୁତ

ଭୁବନେଶ୍ୱର (ଓଡ଼ିଶ୍ରୀ ସମ୍ବାଦ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ଓ ପ୍ରବଳ ବର୍ଷାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷାକୁ ଗୁରୁତ୍ୱ ଦେଇ ସରକାର ‘ଜିରୋ କାଜୁଆଲ୍ଟି’ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସମ୍ଭାବ୍ୟ ପ୍ରଭାବିତ ୮ଟି ଜିଲ୍ଲାକୁ ୧୯ କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯାଇଥିବାବେଳେ ୪୬୬ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି।

ଭୁବନେଶ୍ୱରସ୍ଥିତ ରାଜୀବ ଭବନର ରାଜ୍ୟ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏସ୍‌ଆର୍‌ସି ଓ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ ହୋଇଥିଲା। ଏଥିରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା, ଉଦ୍ଧାର କାର୍ଯ୍ୟ ଓ ଜନସାଧାରଣଙ୍କ ସୁରକ୍ଷା ପାଇଁ ପ୍ରସ୍ତୁତି ସମୀକ୍ଷା କରାଯାଇଥିଲା।

୮ ଜିଲ୍ଲା ଉପରେ ସ୍ୱତନ୍ତ୍ର ନଜର

ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାକୁ ସ୍ୱତନ୍ତ୍ର ନଜରରେ ରଖାଯାଇଛି। ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ଏହି ଜିଲ୍ଲାଗୁଡ଼ିକରେ ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌ ଓ ଅଗ୍ନିଶମ ବାହିନୀର ଟିମ୍‌ ମୁତୟନ କରାଯାଇଛି।

ଗଞ୍ଜାମରେ ୯ଟି ଓଡ୍ରାଫ୍‌, ୨ଟି ଏନ୍‌ଡିଆର୍‌ଏଫ୍‌ ଓ ୨୪ଟି ଅଗ୍ନିଶମ ଟିମ୍‌ ନିୟୋଜିତ ହୋଇଥିବାବେଳେ ଗଜପତିରେ ୬ଟି ଓଡ୍ରାଫ୍‌, ଗୋଟିଏ ଏନ୍‌ଡିଆର୍‌ଏଫ୍‌ ଓ ୮ଟି ଅଗ୍ନିଶମ ଟିମ୍‌ ମୁତୟନ ଅଛନ୍ତି। ରାୟଗଡ଼ାରେ ୩ଟି ଓଡ୍ରାଫ୍‌, ଗୋଟିଏ ଏନ୍‌ଡିଆର୍‌ଏଫ୍‌ ଓ ୧୧ଟି ଅଗ୍ନିଶମ ଟିମ୍‌ ଏବଂ କୋରାପୁଟରେ ୩ଟି ଓଡ୍ରାଫ୍‌, ଗୋଟିଏ ଏନ୍‌ଡିଆର୍‌ଏଫ୍‌ ଓ ୧୪ଟି ଅଗ୍ନିଶମ ଟିମ୍‌ ନିୟୋଜିତ ହୋଇଛନ୍ତି।

ସେହିପରି ମାଲକାନଗିରିରେ ୩ଟି ଓଡ୍ରାଫ୍‌, ଗୋଟିଏ ଏନ୍‌ଡିଆର୍‌ଏଫ୍‌ ଓ ୯ଟି ଅଗ୍ନିଶମ ଟିମ୍‌ ଏବଂ ନବରଙ୍ଗପୁରରେ ୩ଟି ଓଡ୍ରାଫ୍‌ ଓ ୧୨ଟି ଅଗ୍ନିଶମ ଟିମ୍‌ ମୁତୟନ ରହିଛନ୍ତି। ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଅଗ୍ନିଶମ ଟିମ୍‌ ନିୟୋଜିତ କରାଯାଇଛି।

୪୮ ହଜାରରୁ ଅଧିକ ଲୋକଙ୍କ ପାଇଁ ଆଶ୍ରୟ ବ୍ୟବସ୍ଥା

ସମ୍ଭାବ୍ୟ ପ୍ରଭାବିତ ୮ଟି ଜିଲ୍ଲାର ସମ୍ବେଦନଶୀଳ ଅଞ୍ଚଳରୁ ୪୮ ହଜାର ୧୦ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ସୁରକ୍ଷିତ ରହଣି ପାଇଁ ୪୬୬ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି।

ଏଥିମଧ୍ୟରେ ନବରଙ୍ଗପୁରରେ ୧୧,୨୭୦ ଜଣଙ୍କ ପାଇଁ ୧୩୪ଟି, ଗଜପତିରେ ୧୧ ହଜାର ଜଣଙ୍କ ପାଇଁ ୧୭୫ଟି, ମାଲକାନଗିରିରେ ୯,୮୫୦ ଜଣଙ୍କ ପାଇଁ ୩୫ଟି, ଗଞ୍ଜାମରେ ୬,୫୦୦ ଜଣଙ୍କ ପାଇଁ ୩୭ଟି, କୋରାପୁଟରେ ୫ ହଜାର ଜଣଙ୍କ ପାଇଁ ୪୭ଟି, କଳାହାଣ୍ଡିରେ ୨,୪୧୫ ଜଣଙ୍କ ପାଇଁ ୧୪ଟି, ନୂଆପଡ଼ାରେ ୧,୬୭୫ ଜଣଙ୍କ ପାଇଁ ୧୭ଟି ଏବଂ ରାୟଗଡ଼ାରେ ୩୦୦ ଜଣଙ୍କ ପାଇଁ ୭ଟି ଆଶ୍ରୟସ୍ଥଳୀ ରହିଛି।

ଜିଲ୍ଲାପାଳଙ୍କ ଛୁଟି ବାତିଲ, ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ସେମାନଙ୍କୁ ମୁଖ୍ୟାଳୟରେ ରହି ପରିସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି। ଜନସାଧାରଣଙ୍କ ଜରୁରୀକାଳୀନ ସହାୟତା ପାଇଁ ଜିଲ୍ଲାଗୁଡ଼ିକରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲା ରଖିବା ସହ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ ମୁତୟନ କରାଯାଇଛି।

ଆଶ୍ରୟସ୍ଥଳୀରେ ଆବଶ୍ୟକ ସୁବିଧା, ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ, ଜରୁରୀ ସତର୍କ ସୂଚନା ପ୍ରସାର ଓ ପାଣିପାଗ ବିଭାଗର ବୁଲେଟିନ୍‌ ଉପରେ ନିୟମିତ ନଜର ରଖିବାକୁ ନିର୍ଦ୍ଦେଶ ରହିଛି। ବିଭିନ୍ନ ଅଞ୍ଚଳର ଦାୟିତ୍ୱ ନୋଡାଲ୍‌ ଅଧିକାରୀଙ୍କୁ ଦିଆଯାଇଥିବାବେଳେ ତ୍ୱରିତ ସମନ୍ୱୟ ପାଇଁ ହ୍ୱାଟ୍ସଆପ୍‌ ଗ୍ରୁପ୍‌ ଗଠନ କରାଯାଇଛି।

ସ୍ୱାସ୍ଥ୍ୟସେବା ଓ ପଶୁଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

ଗର୍ଭବତୀ ମହିଳା ଓ ନବଜାତ ଶିଶୁଙ୍କ ସୁରକ୍ଷା ପାଇଁ ମେଡିକାଲ୍‌ ରିଲିଫ୍‌ କେନ୍ଦ୍ର, ମୋବାଇଲ୍‌ ସ୍ୱାସ୍ଥ୍ୟ ଟିମ୍‌, ଜରୁରୀ ଔଷଧ, ବିଦ୍ୟୁତ୍‌ର ବିକଳ୍ପ ବ୍ୟବସ୍ଥା ଓ ଜରୁରୀ ପ୍ରସବ ସେବା ପ୍ରସ୍ତୁତ ରଖିବାକୁ ସ୍ୱାସ୍ଥ୍ୟ ବିଭାଗକୁ କୁହାଯାଇଛି। ପ୍ରଭାବିତ ଅଞ୍ଚଳର ପଶୁମାନଙ୍କ ପାଇଁ ପଶୁଖାଦ୍ୟ ବଣ୍ଟନ ବ୍ୟବସ୍ଥା କରାଯିବ। ସ୍ଥିତିକୁ ଦୃଷ୍ଟିରେ ରଖି ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ ରଖିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି।

ଏହି ସମୟରେ ଜନସାଧାରଣ ଗୁଜବରେ ବିଶ୍ୱାସ ନକରି କେବଳ ସରକାରୀ ସୂଚନା ଓ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବା ସହ ସତର୍କ ରହିବାକୁ ମନ୍ତ୍ରୀ ସୁରେଶ ପୂଜାରୀ ପରାମର୍ଶ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *