ଭଞ୍ଜନଗର, (ଓଡ଼ିଶ୍ରୀ ସମ୍ବାଦ): ବିଶ୍ୱବିଦ୍ୟାଳୟର ପରୀକ୍ଷା ମୂଲ୍ୟାୟନକୁ ନେଇ ଗଞ୍ଜାମ ଜିଲ୍ଲା ଭଞ୍ଜନଗରସ୍ଥିତ ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କଲେଜର ବିଭିନ୍ନ ବିଭାଗର ଛାତ୍ରୀମାନେ ଏକାଠି ହୋଇ ବିଶ୍ୱବିଦ୍ୟାଳୟର ମାର୍କ ପ୍ରଦାନ ପ୍ରକ୍ରିୟାକୁ ନେଇ ପ୍ରତିବାଦ କରିଛନ୍ତି।
ଛାତ୍ରୀମାନଙ୍କ ଅଭିଯୋଗ ଅନୁଯାୟୀ, ଚଳିତ ବର୍ଷ ଯୁକ୍ତ ତିନି ସେମିଷ୍ଟାର ପରୀକ୍ଷା ଫଳ ପ୍ରକାଶ ପରେ କେତେକ ଛାତ୍ରୀଙ୍କୁ ଅତ୍ୟନ୍ତ କମ୍ ମାର୍କ ମିଳିଛି। କେତେକ ଛାତ୍ରୀଙ୍କ ମାର୍କ ଶୂନ ଥିବାବେଳେ ଆଉ କେତେକଙ୍କୁ ମାତ୍ର ଦୁଇ ମାର୍କ ମିଳିଥିବା ସେମାନେ କହିଛନ୍ତି।
ଏହାକୁ ନେଇ ଛାତ୍ରୀମାନେ କଲେଜ ପରିସରରେ ନାରାବାଜି କରିବା ସହ ତୁରନ୍ତ ଉତ୍ତର ଖାତାର ପୁନଃମୂଲ୍ୟାୟନ କରିବାକୁ ଦାବି କରିଛନ୍ତି। ସେମାନଙ୍କ ଯୋଗ୍ୟତା ଅନୁଯାୟୀ ମାର୍କ ପ୍ରଦାନ କରିବା ସହ ଏହି ସମସ୍ୟାର ଶୀଘ୍ର ସମାଧାନ ପାଇଁ ଛାତ୍ରୀମାନେ ଦାବି ରଖିଛନ୍ତି।
ଛାତ୍ରୀମାନଙ୍କ କହିବା ଅନୁସାରେ, ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ। ଆବଶ୍ୟକ ପଡ଼ିଲେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରାଯିବ ବୋଲି ମଧ୍ୟ ଛାତ୍ରୀମାନେ ଚେତାବନୀ ଦେଇଛନ୍ତି।
