ନୂଆପଡ଼ା, (ଓଡ଼ିଶ୍ରୀ ସମ୍ବାଦ): ‘ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ’ ବିଷୟକୁ ନେଇ ନୂଆପଡ଼ା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଖରିଆର ରୋଡ୍ସ୍ଥିତ ହୋଟେଲ ଗଣପତି ପ୍ୟାଲେସ୍ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଜିଲ୍ଲା କଂଗ୍ରେସ କମିଟି ସଭାପତି ଡା. ଅଙ୍କିତ ସିଙ୍ଘାଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଏଆଇସିସି ପର୍ଯ୍ୟବେକ୍ଷକ ମନୋଜ ରାଜାନୀ ଯୋଗଦେଇ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରିଥିଲେ।
ନିଜ ବକ୍ତବ୍ୟରେ ମନୋଜ ରାଜାନୀ ବିଜେପି ଏବଂ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ନିର୍ବାଚନ ପ୍ରକ୍ରିୟାରେ କଥିତ ଭୋଟ ଚୋରି ଓ ଜନସାଧାରଣଙ୍କୁ ଭ୍ରମିତ କରାଯାଉଥିବା ନେଇ ଅଭିଯୋଗ ଆଣିଥିଲେ। ଏଭଳି ଅଭିଯୋଗ ଗଣତନ୍ତ୍ର ପାଇଁ ଚିନ୍ତାର ବିଷୟ ବୋଲି ସେ କହିବା ସହ ନାଗରିକଙ୍କ ମତଦାନ ଅଧିକାର ଓ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାର ସୁରକ୍ଷା ପାଇଁ ସମସ୍ତଙ୍କୁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ।
ଗଣମାଧ୍ୟମ ଜରିଆରେ ନୂଆପଡ଼ା ଜିଲ୍ଲାବାସୀଙ୍କୁ ସମ୍ବୋଧିତ କରି ସେ କଥିତ ଭୋଟ ଚୋରି ସମ୍ପର୍କିତ ଘଟଣାଗୁଡ଼ିକୁ ସାମ୍ନାକୁ ଆଣିବା ସହ ଗଣତନ୍ତ୍ରର ସୁରକ୍ଷା ପାଇଁ ଚାଲିଥିବା ଅଭିଯାନରେ ସକ୍ରିୟ ଭାବେ ସାମିଲ ହେବାକୁ ଅନୁରୋଧ କରିଥିଲେ। ଦେଶର ଯୁବପିଢ଼ି ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ଆଗକୁ ଆସୁଥିବା କଥା ମଧ୍ୟ ସେ ଉଲ୍ଲେଖ କରିଥିଲେ।
ଆସନ୍ତା ୧ ନଭେମ୍ବର ୨୦୨୬ରେ ରାହୁଲ ଗାନ୍ଧୀଙ୍କ ଆହ୍ୱାନରେ ‘ଦିଲ୍ଲୀ ଚଲୋ’ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ମନୋଜ ରାଜାନୀ କହିଥିଲେ। ଏହି କାର୍ଯ୍ୟକ୍ରମରେ ଅଧିକ ସଂଖ୍ୟାରେ ଯୁବକ ଓ କଂଗ୍ରେସ କର୍ମୀ ଯୋଗଦେବାକୁ ସେ ଆହ୍ୱାନ ଦେଇଥିଲେ। ଗଣତନ୍ତ୍ର, ସମ୍ବିଧାନ ଏବଂ ନାଗରିକଙ୍କ ମତଦାନ ଅଧିକାରର ସୁରକ୍ଷାରେ ଯୁବପିଢ଼ିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତ ଦେଇଥିଲେ।
ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ମହମ୍ମଦ ଫାରୁକ, ହୀରା ପଟେଲ, ଭରତ ରାଉତ, ଡା. ଈଶ୍ୱର ବୈଷ୍ଣବ, ମହିଳା କଂଗ୍ରେସ ଜିଲ୍ଲା ସଭାପତି ପ୍ରତିଭା ପ୍ରଧାନ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଅମିତ ଅହିର, ସେବାଦଳ ଜିଲ୍ଲା ସଭାପତି କହ୍ନେଇଲାଲ ତିୱାରୀ, ନୂଆପଡ଼ା ଟାଉନ କଂଗ୍ରେସ ସଭାପତି ମହେଶ ନିଆଲ, ନୂଆପଡ଼ା ବ୍ଲକ କଂଗ୍ରେସ ସଭାପତି ସୌରଭ ଚନ୍ଦ୍ରାକର, ବୋଡ଼େନ ବ୍ଲକ କଂଗ୍ରେସ ସଭାପତି ଦଣ୍ଡସେନା ଓ ଜିଲ୍ଲା ଓବିସି ସେଲ୍ ସଭାପତି ବିନୋଦ ରାଉତଙ୍କ ସମେତ ମନ୍ନୁ ଯାଦବ, ଜିତୁ ସାହୁ, ଭୀମ ଯାଦବ, ଲେଖରାମ ଦେବାଙ୍ଗନ, ବିଦ୍ୟାଧର ସବର, ନୀଲୁ ଶର୍ମା ଓ ଅନ୍ୟ କଂଗ୍ରେସ ନେତା ଉପସ୍ଥିତ ଥିଲେ।
