• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ପାଗରେ ସୁଧାର, ଉତ୍ସାହିତ କେନ୍ଦ୍ରାପଡ଼ାବାସୀ

Byodishri Live

Oct 29, 2026

କେନ୍ଦ୍ରାପଡ଼ା, (ଓଡ଼ିଶ୍ରୀ ସମ୍ବାଦ): ପାଗରେ ସାମାନ୍ୟ ସୁଧାର ଆସିବା ପରେ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଗଣପର୍ବ ଗଜଲକ୍ଷ୍ମୀ ପୂଜାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି। ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ତୁହାକୁ ତୁହା ବର୍ଷା ଓ ମଝିରେ ମଝିରେ ଝଟକା ପବନ ଯୋଗୁଁ ପୂଜା ଉତ୍ସବ କିଛିଟା ଫିକା ପଡ଼ିଥିଲା। ଏପରିକି ଅନେକ ପୂଜା କମିଟି ପୂର୍ବ ନିର୍ଦ୍ଧାରିତ ମେଲୋଡି କାର୍ଯ୍ୟକ୍ରମକୁ ବାତିଲ କରିଥିଲେ।

ତେବେ ଆଜି ପାଗରେ ପରିବର୍ତ୍ତନ ଆସିବା ସହ ଖରା ଦେଖିବାକୁ ମିଳିଛି। ଏହାକୁ ନେଇ ପୂଜା ମଣ୍ଡପଗୁଡ଼ିକରେ ଚଳଚଞ୍ଚଳ ପରିବେଶ ସୃଷ୍ଟି ହୋଇଛି। ଗତକାଲି ବର୍ଷା ସତ୍ତ୍ୱେ ଗୁଲନଗର ପୂଜା କମିଟି ପକ୍ଷରୁ ମେଲୋଡି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲେ ମଧ୍ୟ ଦର୍ଶକଙ୍କ ଭିଡ଼ ଆଶାନୁରୂପ ହୋଇନଥିଲା। ଆଜି ପାଗ ଅନୁକୂଳ ରହିବାରୁ ବିଭିନ୍ନ ପୂଜା ମଣ୍ଡପରେ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି।

ଗଜଲକ୍ଷ୍ମୀ ପୂଜା କେବଳ ଧାର୍ମିକ ଉତ୍ସବ ନୁହେଁ, ଏହା ହଜାର ହଜାର ଛୋଟ ବ୍ୟବସାୟୀଙ୍କ ଜୀବିକାର ମାଧ୍ୟମ ମଧ୍ୟ। ଜିଲ୍ଲା ବାହାରୁ ବହୁ ବ୍ୟବସାୟୀ ଏହି ଅବସରରେ କେନ୍ଦ୍ରାପଡ଼ା ଆସି ଅସ୍ଥାୟୀ ଦୋକାନ ଖୋଲିଥାନ୍ତି। ବର୍ଷା ଯୋଗୁଁ ବ୍ୟବସାୟ ପ୍ରଭାବିତ ହେବା ଆଶଙ୍କାରେ ସେମାନେ ଚିନ୍ତିତ ଥିଲେ। କିନ୍ତୁ ଆଜି ପାଗରେ ସୁଧାର ଆସିବା ପରେ ଦୋକାନୀମାନେ ନିଜ ନିଜ ଦୋକାନ ସଜାଡ଼ିବା ସହ ବ୍ୟବସାୟ ଭଲ ହେବ ବୋଲି ଆଶା ବାନ୍ଧିଛନ୍ତି।

କେନ୍ଦ୍ରାପଡ଼ା ସହର ସମେତ ଜିଲ୍ଲାର ଓଳାଭର ଓ ଆୟତନ ବଜାରରେ ମଧ୍ୟ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଧନର ଦେବୀ ମା’ ଗଜଲକ୍ଷ୍ମୀଙ୍କ ଆରାଧନା କରି ଜିଲ୍ଲାବାସୀ ଆନନ୍ଦ ପ୍ରକାଶ କରୁଛନ୍ତି।

ଅନ୍ୟପଟେ, ରାତି ୧୨ଟା ପର୍ଯ୍ୟନ୍ତ ମେଲୋଡି ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ପ୍ରଶାସନର ଅନୁମତି ରହିଥିବାରୁ ଆୟୋଜକମାନେ ଉତ୍ସବକୁ ନେଇ ଆଶାବାଦୀ ଅଛନ୍ତି।

ସନ୍ଧ୍ୟାରେ ପୂଜା ମଣ୍ଡପଗୁଡ଼ିକରେ ଭିଡ଼ ବଢ଼ିବା ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପ୍ରଶାସନ ମଧ୍ୟ ପ୍ରସ୍ତୁତି ଶେଷ କରିଛି। ଭିଡ଼ ନିୟନ୍ତ୍ରଣ ପାଇଁ ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍‌ ବ୍ୟବସ୍ଥା କରିବା ସହ ଟ୍ରାଫିକ୍‌ ପରିଚାଳନାକୁ ସୁଗମ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଯାହାଦ୍ୱାରା ଶ୍ରଦ୍ଧାଳୁମାନେ ସୁବିଧାରେ ପୂଜା ମଣ୍ଡପ ବୁଲିବା, ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ଓ କିଣାବିକା କରିପାରିବେ।

ପାଗରେ ସୁଧାର ଆସିବା ପରେ ଗଜଲକ୍ଷ୍ମୀ ପୂଜାର ଉତ୍ସାହ ପୁଣି ଫେରିଥିବା ବେଳେ ଶ୍ରଦ୍ଧାଳୁ, ଆୟୋଜକ ଓ ବ୍ୟବସାୟୀଙ୍କ ନଜର ଏବେ ସନ୍ଧ୍ୟାର ଭିଡ଼ ଉପରେ ରହିଛି।

Spread the love

Leave a Reply

Your email address will not be published. Required fields are marked *