• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବାତ୍ୟା ପ୍ରଭାବରେ ଦାରିଙ୍ଗବାଡ଼ିରେ ରାସ୍ତା ବିଚ୍ଛିନ୍ନ, କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲେ ସରପଞ୍ଚ

Byodishri Live

Oct 30, 2026

ଶ୍ରାମମାହାପଡ଼ାରୁ ଡେଣ୍ଡେଡ଼ିକୁ ଯୋଗାଯୋଗ ବାଧାପ୍ରାପ୍ତ; ଧୋଇଯାଇଛି ସଂଯୋଗକାରୀ ବ୍ରିଜ୍‌, ମରାମତି ପାଇଁ ଦାବି

ଦାରିଙ୍ଗବାଡ଼ି (ଓଡ଼ିଶ୍ରୀ ସମ୍ବାଦ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଦାରିଙ୍ଗବାଡ଼ି ପଞ୍ଚାୟତର ବିଭିନ୍ନ ଅଞ୍ଚଳ ପ୍ରଭାବିତ ହୋଇଛି। ଲଗାଣ ବର୍ଷା ଓ ବାତ୍ୟାଜନିତ ପ୍ରଭାବରେ ଶ୍ରାମମାହାପଡ଼ାରୁ ଡେଣ୍ଡେଡ଼ିକୁ ସଂଯୋଗ କରୁଥିବା ବ୍ରିଜ୍‌ ଧୋଇଯାଇଥିବାରୁ ଉଭୟ ଅଞ୍ଚଳ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଫଳରେ ଗ୍ରାମବାସୀଙ୍କ ସମେତ ଚାଷୀମାନେ ଯାତାୟାତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ବର୍ଷା ଛାଡ଼ିଯାଇଥିଲେ ମଧ୍ୟ ରାସ୍ତା ଓ ବ୍ରିଜ୍‌ର ସ୍ଥିତି ଚିନ୍ତାଜନକ ରହିଛି। ବ୍ରିଜ୍‌ ଧୋଇଯିବା ଯୋଗୁଁ ଗ୍ରାମବାସୀଙ୍କ ଯାତାୟାତ ସହ ଚାଷୀମାନେ ନିଜ ଚାଷଜମିରେ ପହଞ୍ଚିବା ମଧ୍ୟ କଷ୍ଟକର ହୋଇପଡ଼ିଛି। ଏନେଇ ଗ୍ରାମବାସୀ ସରପଞ୍ଚଙ୍କୁ ଅବଗତ କରାଇଥିଲେ।

ଖବର ପାଇ ଦାରିଙ୍ଗବାଡ଼ି ପଞ୍ଚାୟତର ସରପଞ୍ଚ ଦୀପକ କୁମାର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ। ବ୍ରିଜ୍‌ ଧୋଇଯିବା ଓ ରାସ୍ତା ବିଚ୍ଛିନ୍ନ ହେବା ସମ୍ପର୍କରେ ସେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇବେ ବୋଲି କହିଥିବା ସୂଚନା ମିଳିଛି।

ସେହିପରି ବ୍ଲକ୍‌ ଅଧ୍ୟକ୍ଷା ସୁଶାନ୍ତି ପ୍ରଧାନ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରି ବ୍ରିଜ୍‌ର ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାର ସମାଧାନ ପାଇଁ ବିଡିଓଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ, ପଞ୍ଚାୟତ ପକ୍ଷରୁ ଲିଖିତ ଅଭିଯୋଗ ପାଇବା ପରେ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ନିର୍ଦ୍ଦେଶରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରଥ ମଧ୍ୟ କ୍ଷତିଗ୍ରସ୍ତ ବ୍ରିଜ୍‌ର ସ୍ଥିତି ଅନୁଧ୍ୟାନ କରିଥିବା ସୂଚନା ମିଳିଛି।

ବ୍ରିଜ୍‌ର ଶୀଘ୍ର ମରାମତି କରି ଯାତାୟାତ ସ୍ୱାଭାବିକ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *