• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ମୟୂରଭଞ୍ଜରେ ଜିଲ୍ଲାସ୍ତରୀୟ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ

Byodishri Live

Oct 31, 2026

ନିୟମିତ ସଞ୍ଚୟ ଓ ଆର୍ଥିକ ସଚେତନତା ଉପରେ ଗୁରୁତ୍ୱ; ସାଇବର ଠକେଇରୁ ସୁରକ୍ଷିତ ରହିବାକୁ ପରାମର୍ଶ

ବାରିପଦା, (ଓଡ଼ିଶ୍ରୀ ସମ୍ବାଦ): ନିୟମିତ ସଞ୍ଚୟ ଅଭ୍ୟାସ ଗଢ଼ିତୋଳିବା, ସ୍ୱଳ୍ପ ସଞ୍ଚୟ ଯୋଜନା ସମ୍ପର୍କରେ ଜନସଚେତନତା ବୃଦ୍ଧି ଏବଂ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଜିଲ୍ଲାସ୍ତରୀୟ ବିଶ୍ୱ ମିତବ୍ୟୟିତା ଦିବସ-୨୦୨୬ ପାଳିତ ହୋଇଯାଇଛି। ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ପକ୍ଷରୁ ବାରିପଦାସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ସରକାରଙ୍କ ଅର୍ଥ ବିଭାଗ ଦ୍ୱାରା ପରିଚାଳିତ ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଯୋଜନାର ସୁଯୋଗ ନେବାକୁ ସମାଜର ସମସ୍ତ ବର୍ଗର ଲୋକଙ୍କୁ ଆହ୍ୱାନ କରିଥିଲେ। ନିୟମିତ ସଞ୍ଚୟ ଅଭ୍ୟାସ ବ୍ୟକ୍ତି ଓ ପରିବାରର ଆର୍ଥିକ ସ୍ଥିରତା ବଜାୟ ରଖିବା ସହ ଭବିଷ୍ୟତର ଆବଶ୍ୟକତା ପୂରଣରେ ସହାୟକ ହୋଇଥାଏ ବୋଲି ସେ କହିଥିଲେ।

ସମ୍ମାନିତ ଅତିଥି ଭାବେ ସାଇବର ସୁରକ୍ଷା ଥାନାର ଭାରପ୍ରାପ୍ତ ଅଧିକାରୀ ପ୍ରଦୀପ କୁମାର ମାଝୀ ଯୋଗଦେଇ ସାଇବର ଠକେଇର ବିଭିନ୍ନ କୌଶଳ, ଅନଲାଇନ୍ ଆର୍ଥିକ କାରବାର ସମୟରେ ଅବଲମ୍ବନ କରିବାକୁ ଥିବା ସତର୍କତା ଏବଂ ସାଇବର ସୁରକ୍ଷା ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ସଚେତନ କରାଇଥିଲେ।

ସେହିପରି ଡାକ ବିଭାଗର ଡାକ ନିରୀକ୍ଷକ ସଦାଶିବ ରାଉତ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଚଳିତ ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଯୋଜନା, ସେଗୁଡ଼ିକର ସୁବିଧା ଓ ଉପଯୋଗିତା ବିଷୟରେ ବିସ୍ତୃତ ସୂଚନା ଦେଇଥିଲେ।

କାର୍ଯ୍ୟକ୍ରମରେ ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ଅଧିକାରୀ ସୀରପାଣି ନାୟକ ସ୍ୱାଗତ ଭାଷଣ ଦେବା ସହ ବିଶ୍ୱ ମିତବ୍ୟୟିତା ଦିବସର ଇତିହାସ, ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ, ସ୍ୱଳ୍ପ ସଞ୍ଚୟ ଅଭିକର୍ତ୍ତା ଓ ସାଧାରଣ ନାଗରିକ ଉପସ୍ଥିତ ଥିଲେ। କନିଷ୍ଠ ରାଜସ୍ୱ ସହାୟକ ମହେନ୍ଦ୍ର ସୋରେନ, ସ୍ୱଳ୍ପ ସଞ୍ଚୟ ଅଭିକର୍ତ୍ତା ପ୍ରବାଳ କାନ୍ତି ଘୋଷ, ବସନ୍ତ କୁମାର ମହାପାତ୍ର, ଗୌତମ କୁମାର ସି ଓ ମାନସ ମହାନ୍ତି କାର୍ଯ୍ୟକ୍ରମର ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *