• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବାତ୍ୟା ‘ମୁରାସୁ’ ମୁକାବିଲା: ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ

Byodishri Live

Nov 2, 2026

ନଭେମ୍ବର ୩ ଓ ୪ରେ ପ୍ରବଳ ବର୍ଷା ଆଶଙ୍କା, ଜନସାଧାରଣଙ୍କୁ ସଚେତନ କଲା କନ୍ଧମାଳ ଜିଲ୍ଲା ପ୍ରଶାସନ

ଫୁଲବାଣୀ (ଓଡ଼ିଶ୍ରୀ ସମ୍ବାଦ): ସମ୍ଭାବ୍ୟ ବାତ୍ୟା ‘ମୁରାସୁ’ର ପ୍ରଭାବକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ସତର୍କ ଓ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି। ନଭେମ୍ବର ୩ ଓ ୪ ତାରିଖରେ ସମ୍ଭାବ୍ୟ ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ତଳିଆ ଅଞ୍ଚଳରେ ଜଳବନ୍ଦୀ, ବନ୍ୟା ଏବଂ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ।

ନଦୀକୂଳ, ତଳିଆ ଅଞ୍ଚଳ, ପାହାଡ଼ ଓ ଉପତ୍ୟକା ନିକଟରେ ରହୁଥିବା ଲୋକମାନେ ବିଶେଷ ସତର୍କ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି। ଆବଶ୍ୟକ ପଡ଼ିଲେ ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା ଅନ୍ୟ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି। ଗର୍ଭବତୀ ମହିଳା, ଶିଶୁ, ବୟସ୍କ ଓ ଅସୁସ୍ଥ ବ୍ୟକ୍ତିଙ୍କୁ ଆଗୁଆ ସୁରକ୍ଷିତ ସ୍ଥାନକୁ ନେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ପ୍ରଶାସନର ସତର୍କତାମୂଳକ ପରାମର୍ଶ ଅନୁଯାୟୀ, ପ୍ରବାହିତ ନଦୀ, ନାଳ କିମ୍ବା ଜଳମଗ୍ନ ରାସ୍ତା ପାର ହେବା ଉଚିତ ନୁହେଁ। ବିଦ୍ୟୁତ୍ ଖୁଣ୍ଟ, ତାର ଓ ବଡ଼ ଗଛଠାରୁ ଦୂରେଇ ରହିବା ସହ ବଜ୍ରପାତ ସମୟରେ ବାହାରକୁ ନଯିବାକୁ କୁହାଯାଇଛି।

ଆସନ୍ତା ନଭେମ୍ବର ୩ ଓ ୪ ତାରିଖରେ ଜିଲ୍ଲାର ସ୍କୁଲଗୁଡ଼ିକରେ ଛୁଟି ଘୋଷଣା କରାଯାଇଥିବାରୁ ଅଭିଭାବକମାନେ ପିଲାମାନଙ୍କୁ ଘରେ ସୁରକ୍ଷିତ ରଖିବାକୁ ପ୍ରଶାସନ ଅନୁରୋଧ କରିଛି। ଅତ୍ୟାବଶ୍ୟକ କାମ ନଥିଲେ ଘରୁ ବାହାରିବାରୁ ନିବୃତ୍ତ ରହିବା ସହ ଘରେ ଶୁଖିଲା ଖାଦ୍ୟ, ପିଇବା ପାଣି, ଔଷଧ ଓ ଅନ୍ୟ ଜରୁରୀ ସାମଗ୍ରୀ ମହଜୁଦ ରଖିବାକୁ କୁହାଯାଇଛି। ପିଇବା ପାଣିକୁ ଫୁଟାଇ ବ୍ୟବହାର କରିବା ସହ ଗୃହପାଳିତ ପଶୁଙ୍କ ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପରାମର୍ଶ ରହିଛି।

ଏଥିସହ କୌଣସି ଗୁଜବରେ ବିଶ୍ୱାସ ନକରି କେବଳ ଜିଲ୍ଲା ପ୍ରଶାସନ ଓ ପାଣିପାଗ ବିଭାଗର ସରକାରୀ ସୂଚନାକୁ ଅନୁସରଣ କରିବାକୁ ନିବେଦନ କରାଯାଇଛି। ବାତ୍ୟା ମୁକାବିଲା ପାଇଁ ସମସ୍ତେ ସଚେତନ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *