କନ୍ଧମାଳ(ଓଡ଼ିଶ୍ରୀ ସମ୍ବାଦ): କନ୍ଧମାଳ ଜିଲ୍ଲା କ. ନୂଆଗାଁରେ ବଡ଼ ଧରଣର ଗଞ୍ଜେଇ ଚୋରାଚାଲାଣ ଧରାପଡ଼ିଛି। ପୋଲିସ ଚଢ଼ାଉ କରି ଏକ ବସ୍ରୁ ୬୩ କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି।
ସୂଚନା ଅନୁଯାୟୀ, କ. ନୂଆଗାଁ ଥାନା ମାମଲା ନମ୍ବର ୧୩୫/୨୦୨୬ ଅନୁସାରେ, ସେପ୍ଟେମ୍ବର ୧୫ ତାରିଖ ରାତି ପ୍ରାୟ ୮ଟା ୧୫ରୁ ୧୧ଟା ମଧ୍ୟରେ SH-1 ରାସ୍ତାରେ କ. ନୂଆଗାଁ ବ୍ଲକ୍ ସମ୍ମୁଖରେ ପୋଲିସ ଚଢ଼ାଉ କରିଥିଲା।
ଏହି ସମୟରେ OD-02AC-1151 ନମ୍ବର ବିଶିଷ୍ଟ ଧଳା ରଙ୍ଗର ବସ୍ରୁ ୬୩ କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୬ ଲକ୍ଷ ୩୦ ହଜାର ଟଙ୍କା ବୋଲି ଜଣାପଡ଼ିଛି।
ଘଟଣାରେ ପୋଲିସ ବସ୍ର ଡ୍ରାଇଭର ୪୨ ବର୍ଷୀୟ ସୁଦର୍ଶନ ନାୟକ, ହେଲ୍ପର ୪୦ ବର୍ଷୀୟ ବିନୋଦ ମଲ୍ଲିକ ଏବଂ କଣ୍ଡକ୍ଟର ୩୦ ବର୍ଷୀୟ ହମିଦ ଖାନଙ୍କୁ ଗିରଫ କରିଛି।
ସେମାନଙ୍କ ନିକଟରୁ ବସ୍, ୩ଟି ସ୍ମାର୍ଟଫୋନ୍ ଏବଂ ୬,୭୦୦ ଟଙ୍କା ନଗଦ ଜବତ କରାଯାଇଛି। ଏନେଇ NDPS Act ର ଧାରା 20(b)(ii)C ଅନୁଯାୟୀ ମାମଲା ରୁଜୁ ହୋଇଥିବାବେଳେ, IIC କେଳୁ ଚ. ଜେନାଙ୍କ ନେତୃତ୍ୱରେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।
