• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଡେରାବିଶ ଓ ରାଜକନିକା ବ୍ଲକ୍‌ରେ ୧.୧୩ କୋଟି ଟଙ୍କା ହଡ଼ପ ଅଭିଯୋଗ: ତଦନ୍ତ ଆଗକୁ ବଢ଼ିବ କେବେ?

Byodishri Live

Nov 4, 2026

ଡେରାବିଶ ବ୍ଲକ୍‌ କାର୍ଯ୍ୟାଳୟ ଓ ଟ୍ରେଜେରୀରେ ଯାଞ୍ଚ; କିରାଣି ଓ ବିଡିଓଙ୍କ ଭୂମିକାକୁ ନେଇ ଉଠିଲା ପ୍ରଶ୍ନ

କେନ୍ଦ୍ରାପଡ଼ା/ଡେରାବିଶ, (ଓଡ଼ିଶ୍ରୀ ସମ୍ବାଦ): ଡେରାବିଶ ଓ ରାଜକନିକା ବ୍ଲକ୍‌ରୁ ୧ କୋଟି ୧୩ ଲକ୍ଷ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗକୁ ନେଇ ତଦନ୍ତ ପ୍ରକ୍ରିୟା ଜୋରଦାର ହୋଇଛି। ଏହି ଘଟଣାରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଭିଜିଲାନ୍ସ ପକ୍ଷରୁ ଡେରାବିଶ ବ୍ଲକ୍‌ କାର୍ଯ୍ୟାଳୟ ଓ କେନ୍ଦ୍ରାପଡ଼ା ଟ୍ରେଜେରୀ କାର୍ଯ୍ୟାଳୟରେ ଯାଞ୍ଚ କରାଯାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପ୍ରଶାସନିକ ସ୍ତରରେ ମଧ୍ୟ ତଦନ୍ତ ଚାଲିଥିବା କୁହାଯାଉଛି।

ଅଭିଯୋଗ ଅନୁଯାୟୀ, ଏହି ଅର୍ଥ ହଡ଼ପ ଘଟଣାରେ ଡେରାବିଶ ବ୍ଲକ୍‌ର କିରାଣି ଶଶୀକାନ୍ତ ରଣାଙ୍କ ନାମ ସାମ୍ନାକୁ ଆସିଛି। ଏଥିସହ ବ୍ଲକ୍‌ର ବିଡିଓ ନମିତା ବାରିକଙ୍କ ଭୂମିକାକୁ ନେଇ ମଧ୍ୟ ବିଭିନ୍ନ ପ୍ରଶ୍ନ ଉଠୁଛି। ତେବେ ଏହି ଅଭିଯୋଗଗୁଡ଼ିକର ସତ୍ୟାସତ୍ୟ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।

ଉପଲବ୍ଧ ସୂଚନା ଅନୁସାରେ, ଟ୍ରେଜେରୀ ପକ୍ଷରୁ ଅର୍ଥ ହଡ଼ପ ସମ୍ପର୍କରେ ବ୍ଲକ୍‌ କାର୍ଯ୍ୟାଳୟକୁ ଚିଠି ଦିଆଯାଇଥିଲା। ଏହାପରେ ମଧ୍ୟ ଆବଶ୍ୟକ ପଦକ୍ଷେପ ନିଆଯାଇଥିଲା କି ନାହିଁ, ତାହାକୁ ନେଇ ପ୍ରଶ୍ନ ଉଠିଛି। ଅଭିଯୋଗ ରହିଛି ଯେ, ସମ୍ପୃକ୍ତ କିରାଣିଙ୍କ ବିରୋଧରେ ତୁରନ୍ତ ପଦକ୍ଷେପ ନନେଇ ତାଙ୍କୁ ଅକ୍ଟୋବର ୧୨ ତାରିଖରେ ଛୁଟିରେ ଯିବାକୁ ଅନୁମତି ଦିଆଯାଇଥିଲା।

ପରବର୍ତ୍ତୀ ସମୟରେ ଗଣମାଧ୍ୟମରେ ଏହି ଘଟଣା ପ୍ରକାଶ ପାଇବା ଏବଂ ଟ୍ରେଜେରୀ ପକ୍ଷରୁ ପୁନର୍ବାର ଚିଠି ଦିଆଯିବା ପରେ ଅକ୍ଟୋବର ୧୯ ତାରିଖରେ ବିଡିଓ ଶଶୀକାନ୍ତ ରଣାଙ୍କ ନାମରେ କେନ୍ଦ୍ରାପଡ଼ା ସଦର ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି। ତେବେ ଏତଲାରେ ଉଲ୍ଲେଖିତ ତଥ୍ୟ, ଟଙ୍କା ଫେରସ୍ତ ହୋଇଛି କି ନାହିଁ ଏବଂ ଅର୍ଥ ହଡ଼ପ ସମ୍ପର୍କରେ ପ୍ରଶାସନ କେବେ ଅବଗତ ହୋଇଥିଲା—ଏସବୁ ବିଷୟରେ ସ୍ପଷ୍ଟତା ଆବଶ୍ୟକ ବୋଲି ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ, ଭିଜିଲାନ୍ସ ତଦନ୍ତରେ ପ୍ରଶାସନିକ ସହଯୋଗ ମିଳୁନଥିବା ଅଭିଯୋଗ ମଧ୍ୟ ଉଠିଛି। ତଦନ୍ତକୁ ଆଗକୁ ବଢ଼ାଇବା ପାଇଁ ଆବଶ୍ୟକ ଫାଇଲ୍‌, ଆର୍ଥିକ କାଗଜପତ୍ର ଓ ଅନ୍ୟାନ୍ୟ ଦଲିଲ ଉପଲବ୍ଧ ହେଉଛି କି ନାହିଁ, ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏହି ଘଟଣାରେ ଭିଜିଲାନ୍ସ ପକ୍ଷରୁ ଗଭୀର ତଦନ୍ତ ହେଲେ ଅର୍ଥ ହଡ଼ପର ପ୍ରକୃତ ଚିତ୍ର ସାମ୍ନାକୁ ଆସିପାରିବ ବୋଲି ଆଶା କରାଯାଉଛି।

୧.୧୩ କୋଟି ଟଙ୍କା ହଡ଼ପ ଅଭିଯୋଗରେ କେଉଁମାନଙ୍କ ଭୂମିକା ରହିଛି, ଅର୍ଥ କେଉଁ ମାଧ୍ୟମରେ ଉଠାଯାଇଥିଲା ଏବଂ ଏଥିରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ—ତାହା ତଦନ୍ତରୁ ସ୍ପଷ୍ଟ ହେବା ଆବଶ୍ୟକ। ଏଥିସହ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ପକ୍ଷରୁ ଏହି ଅଭିଯୋଗ ଉପରେ ସ୍ପଷ୍ଟୀକରଣ ଆସିବା ମଧ୍ୟ ଜରୁରୀ।

Spread the love

Leave a Reply

Your email address will not be published. Required fields are marked *