• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ନୂଆପଡ଼ାରେ ‘ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ’ର ପ୍ରଚାର ଓ ସଚେତନତା କାର୍ଯ୍ୟକ୍ରମ

Byodishri Live

Nov 4, 2026

ନୂତନ ଚିନ୍ତାଧାରା, ଷ୍ଟାର୍ଟଅପ୍‌ ଓ ଉଦ୍ୟୋଗୀ ମନୋଭାବକୁ ପ୍ରୋତ୍ସାହନ ଉପରେ ଗୁରୁତ୍ୱ

ନୂଆପଡ଼ା (ଓଡ଼ିଶ୍ରୀ ସମ୍ବାଦ): ରାଜ୍ୟରେ ନବସୃଜନ ଓ ଉଦ୍ୟୋଗୀ ମନୋଭାବକୁ ପ୍ରୋତ୍ସାହିତ କରିବା ସହ ବାସ୍ତବ ଜୀବନର ବିଭିନ୍ନ ସମସ୍ୟାର ସୃଜନଶୀଳ, ବ୍ୟବହାରିକ ଓ ପ୍ରଯୁକ୍ତିଭିତ୍ତିକ ସମାଧାନ ବିକଶିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ‘ସେବା ସଂକଳ୍ପ ଅଭିଯାନ’ ଅନ୍ତର୍ଗତ ‘ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ’ (Odisha Seva First Innovation Challenge) ଆରମ୍ଭ ହୋଇଛି।

ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଳ୍ପ କେନ୍ଦ୍ର, ନୂଆପଡ଼ାର ମିଳିତ ଆନୁକୂଲ୍ୟରେ ଏହି ଆହ୍ୱାନ ସମ୍ପର୍କିତ ଜିଲ୍ଲାସ୍ତରୀୟ ପ୍ରଚାର ଓ ସଚେତନତା କାର୍ଯ୍ୟକ୍ରମ ମହୁଆଭଟାସ୍ଥିତ ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ ମୁଖ୍ୟ ଅତିଥି ଏବଂ ଜିଲ୍ଲାପାଳ ଅନ୍ୟା ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ଏହି ଅବସରରେ ନୂଆପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଖରିଆର ରୋଡ୍‌ ଏନ୍‌ଏସି ଅଧ୍ୟକ୍ଷା ଡ. ସୋନିଆ ଜୈନ, ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ ସମୀର ମୁଦୁଲି ଓ ଜିଲ୍ଲା ନିୟୋଜନ ଅଧିକାରୀ ବିନୋଦ ଲାକ୍ରା ପ୍ରମୁଖ ଉପସ୍ଥିତ ଥିଲେ।

ଏହି ନବସୃଜନ ଆହ୍ୱାନ ମାଧ୍ୟମରେ ଛାତ୍ରଛାତ୍ରୀ, ଷ୍ଟାର୍ଟଅପ୍‌, ନବପ୍ରବର୍ତ୍ତକ ଓ ଉଦ୍ୟୋଗୀମାନେ ନିଜର ନୂତନ ଚିନ୍ତାଧାରାକୁ ବାସ୍ତବ ରୂପ ଦେବା ସହ ସମାଜର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ନୂତନ ଉଦ୍ଭାବନ ବିକଶିତ କରିବାର ସୁଯୋଗ ପାଇପାରିବେ। ଏଥିରେ ୨୧ଟି ବିଷୟଭିତ୍ତିକ କ୍ଷେତ୍ରରେ ବ୍ୟବହାରିକ, ପ୍ରଯୁକ୍ତିଭିତ୍ତିକ ଓ ବ୍ୟାପକ ଭାବେ ପ୍ରୟୋଗଯୋଗ୍ୟ ସମାଧାନ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଛି।

କାର୍ଯ୍ୟକ୍ରମରେ ଟାଇ ଆଣ୍ଡ ଡାଇ ଶିଳ୍ପ ତଥା ସମ୍ବଲପୁରୀ ଶାଢ଼ୀ ପାଇଁ ଜାତୀୟ ଓ ରାଜ୍ୟ ପୁରସ୍କାରପ୍ରାପ୍ତ ସୁକାନ୍ତି ମେହେର ‘ଜୀବନ ପରିବର୍ତ୍ତନକାରୀ ଅଭିଜ୍ଞତା’ (Life Changing Experience) ଉପରେ ଏକ ଅଧିବେଶନ ପରିଚାଳନା କରିଥିଲେ। ସେହିପରି ଇଭମାନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ ଅଭିଜିତ ମହାନ୍ତି ଏକ ବୈଷୟିକ ଅଧିବେଶନ ପରିଚାଳନା କରିଥିଲେ।

ଏହି ଅବସରରେ ଅତିଥିମାନେ ନୂଆପଡ଼ା ଜାତୀୟ ମହାବିଦ୍ୟାଳୟର ଏକ ଷ୍ଟାର୍ଟଅପ୍‌ ଏବଂ ଦୁଇଜଣ ସମ୍ବଳ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ।

ଏହି ଆହ୍ୱାନ ରାଜ୍ୟରେ ନବସୃଜନର ପରିବେଶକୁ ସୁଦୃଢ଼ କରିବା ସହ ନୂତନ ଉଦ୍ୟୋଗ ସ୍ଥାପନ ଓ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରିବା ଦିଗରେ ସହାୟକ ହେବ ବୋଲି ଆଶା ପ୍ରକାଶ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *