• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଧର୍ମଶାଳା ପୋଲିସର ସଫଳତା: ୮ ଅଭିଯୁକ୍ତ ଗିରଫ, ଖେଳନା ବନ୍ଧୁକ ଓ ରୂପା ଅଳଙ୍କାର ଜବତ

Byodishri Live

Nov 5, 2026

ବିହାର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଅଭିଯୁକ୍ତ ସାମିଲ; ନଗଦ ଟଙ୍କା, ମୋବାଇଲ୍‌ ଓ ଲୁଟ୍‌ ସାମଗ୍ରୀ ଜବତ

ଧର୍ମଶାଳା (ଓଡ଼ିଶ୍ରୀ ସମ୍ବାଦ): ଯାଜପୁର ଜିଲ୍ଲା ଧର୍ମଶାଳା ପୋଲିସକୁ ମିଳିଛି ସଫଳତା। ଏକ ଲୁଟ୍‌ ମାମଲାର ତଦନ୍ତ କରି ପୋଲିସ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଖେଳନା ବନ୍ଧୁକ, ରୂପା ଅଳଙ୍କାର, ନଗଦ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଧର୍ମଶାଳା ଥାନା କେସ୍‌ ନମ୍ବର ୪୧୧ ଅନୁଯାୟୀ, ୧୦ ଅକ୍ଟୋବର ୨୦୨୬ରେ ରୁଜୁ ହୋଇଥିବା ମାମଲାର ତଦନ୍ତରୁ ଏହି ସଫଳତା ମିଳିଥିବା ଜଣାପଡ଼ିଛି।

ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ବିହାରର ଧରମବୀର କୁମାର ଓରଫ ପାସୱାନ ରହିଛନ୍ତି। ସେହିପରି ଭଦ୍ରକ ଜିଲ୍ଲାର କୁନା ଦାସ, ଭଜୁ ଦାସ, ଅଜୁ ଦାସ, ନାବା ଦାସ ଓ ରାମା ଓରଫ ପେଟୁ ଦାସଙ୍କୁ ପୋଲିସ ଗିରଫ କରିଛି। ବାଲେଶ୍ୱର ଜିଲ୍ଲାର ରାମକାନ୍ତ ସାହୁଙ୍କ ସମେତ ଆଉ ଜଣେ ଅଭିଯୁକ୍ତ ମଧ୍ୟ ଗିରଫ ହୋଇଛନ୍ତି।

ପୋଲିସର ସୂଚନା ଅନୁଯାୟୀ, ଧରମବୀର କୁମାରଙ୍କ ନିକଟରୁ ଗୋଟିଏ ୯ ଏମ୍‌ଏମ୍‌ ଖେଳନା ପିସ୍ତଲ, ୫ଟି ନକଲି ଗୁଳି, ପିସ୍ତଲ ପାଉଚ୍‌, ପ୍ରାୟ ୭୦ ଗ୍ରାମ ରୂପା ଅଳଙ୍କାର ଓ ନଗଦ ୮ ହଜାର ୫୦୦ ଟଙ୍କା ଜବତ ହୋଇଛି। ଏଥିସହ ଗୋଟିଏ ପୋକୋ ସ୍ମାର୍ଟଫୋନ୍‌ ମଧ୍ୟ ଜବତ କରାଯାଇଛି।

ସେହିପରି ରାମା ଓରଫ ପେଟୁ ଦାସଙ୍କ ନିକଟରୁ ଗୋଟିଏ ଖେଳନା ରିଭଲଭର ଓ ୫ ହଜାର ଟଙ୍କା ଜବତ ହୋଇଛି। ଅନ୍ୟପକ୍ଷରେ ରାମକାନ୍ତ ସାହୁଙ୍କ ନିକଟରୁ ୧୦୦ ଗ୍ରାମ ରୂପା ଅଳଙ୍କାର, ଡିଜିଟାଲ୍‌ ଓଜନ ମେସିନ୍‌ ଓ ରୂପା ତରଳାଇବା ପାତ୍ର ଜବତ କରିଛି ପୋଲିସ। ଏହାବ୍ୟତୀତ ଅନ୍ୟ ଅଭିଯୁକ୍ତଙ୍କ ନିକଟରୁ ୫ଟି ମୋବାଇଲ୍‌ ଫୋନ୍‌ ମଧ୍ୟ ଜବତ ହୋଇଛି।

ଏହି ଗ୍ୟାଙ୍ଗ୍‌ ଅନ୍ୟ କେଉଁ କେଉଁ ଅଞ୍ଚଳରେ ଚୋରି ଓ ଲୁଟ୍‌ ଘଟଣାରେ ସମ୍ପୃକ୍ତ ଏବଂ ଏଥିରେ ଆଉ କେହି ସାମିଲ ଅଛନ୍ତି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଯାଜପୁର ଏସ୍‌ଡିପିଓ ଶରତ ପାତ୍ର ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *