ଗାଧୋଇବାକୁ ଯାଇ ଘରକୁ ଫେରିନଥିଲେ; ଅଗ୍ନିଶମ ବାହିନୀ ଉଦ୍ଧାର କଲା ମୃତଦେହ
କଣିହାଁ, (ଓଡ଼ିଶ୍ରୀ ମିଡ଼ିଆ): ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ଅନ୍ତର୍ଗତ ବୁରୁକୁନା ଗ୍ରାମ ପଞ୍ଚାୟତର ବାଦୀବାହାଲ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିବା ଜଣେ ପ୍ରାୟ ୪୦ ବର୍ଷୀୟ ଯୁବକଙ୍କ ମୃତଦେହ ପୋଖରୀରୁ ଉଦ୍ଧାର କରାଯାଇଛି। ମୃତକଙ୍କ ନାମ କାଳିଆ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, କାଳିଆ ନିଜର କାମ ସାରି ଅପରାହ୍ନ ପ୍ରାୟ ୨ଟା ସମୟରେ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ଦୀର୍ଘ ସମୟ ପରେ ମଧ୍ୟ ସେ ଘରକୁ ଫେରିନଥିଲେ। ଏହାକୁ ନେଇ ପରିବାର ଲୋକେ ଚିନ୍ତିତ ହୋଇ ତାଙ୍କୁ ଖୋଜାଖୋଜି କରିଥିଲେ। ବହୁ ସମୟ ଧରି ଖୋଜିବା ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନଥିଲା।
ପରେ ପରିବାର ଲୋକେ ସମଲ ପୋଲିସକୁ ଏବଂ ତା’ପରେ କଣିହାଁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପୋଖରୀରେ ଖୋଜାଖୋଜି ଆରମ୍ଭ କରିଥିଲେ। ଦୀର୍ଘ ସମୟର ଉଦ୍ୟମ ପରେ କାଳିଆଙ୍କ ମୃତଦେହ ପୋଖରୀରୁ ଉଦ୍ଧାର କରାଯାଇଥିଲା।
ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ତାଳଚେରସ୍ଥିତ ମଣ୍ଡାପାଳ ଡାକ୍ତରଖାନାକୁ ପଠାଯାଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ବାଦୀବାହାଲ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
