• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ସାପ କାମୁଡ଼ାରେ ୯ ବର୍ଷୀୟ ଶିଶୁର ମୃତ୍ୟୁ: ପରିବାରକୁ ମିଳିଲା ୪ ଲକ୍ଷ ଟଙ୍କାର ସହାୟତା

Byodishri Live

Nov 5, 2026

ଜିଲ୍ଲା ଆଇନ ସେବା ପ୍ରାଧିକରଣର ହସ୍ତକ୍ଷେପ; ଆଇନଗତ ସହାୟତା ପରେ ମଞ୍ଜୁର ହେଲା ଅନୁକମ୍ପାମୂଳକ ରାଶି

ନୂଆପଡ଼ା (ଓଡ଼ିଶ୍ରୀ ସମ୍ବାଦ): ସାପ କାମୁଡ଼ାରେ ୯ ବର୍ଷୀୟ ଶିଶୁର ମୃତ୍ୟୁ ପରେ ଶୋକସନ୍ତପ୍ତ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ଆର୍ଥିକ ସହାୟତା ମିଳିଛି। ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣର ହସ୍ତକ୍ଷେପ ଏବଂ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ଯୋଗୁଁ ପରିବାରକୁ ଏହି ସହାୟତା ମିଳିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ୧୦ ଜୁନ୍ ୨୦୨୬ରେ ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଅନ୍ତର୍ଗତ ଦର୍ଲିମୁଣ୍ଡା ଗ୍ରାମର ଖଲିଆପାଣି ଅଞ୍ଚଳର ବାସିନ୍ଦା କହ୍ନେୟା ମାଝୀଙ୍କ ୯ ବର୍ଷୀୟ ପୁଅ ରୁପେଶ ମାଝୀଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇଥିଲା। ଏହି ଘଟଣା ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇବା ପରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିଥିଲା।

ପ୍ରାଧିକରଣର ସଚିବ ନବନୀତା ଦାଶ ଶିଶୁର ପରିବାରକୁ ତୁରନ୍ତ ଭେଟିବା ସହ ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ‘ପ୍ରାକୃତିକ ଓ ମାନବକୃତ ବିପର୍ଯ୍ୟୟରେ ପୀଡ଼ିତଙ୍କୁ ଆଇନଗତ ସେବା ପ୍ରଦାନ ଯୋଜନା, ୨୦୧୦’ ଅନୁଯାୟୀ ଆଇନ ସହାୟତା ଯୋଗାଇବା ପାଇଁ ଅଧିକାର ମିତ୍ର ନଳିନୀ ଦେବତାଙ୍କୁ ନିୟୋଜିତ କରିଥିଲେ।

ନଳିନୀ ଦେବତା ଶିଶୁର ପିତାମାତାଙ୍କୁ ଭେଟି ଆଧାର କାର୍ଡ, ଶବ ବ୍ୟବଚ୍ଛେଦ ରିପୋର୍ଟ, ଉତ୍ତରାଧିକାରୀ ପ୍ରମାଣପତ୍ର ସମେତ ଆବଶ୍ୟକ କାଗଜପତ୍ର ସଂଗ୍ରହ ଓ ଆବେଦନ ପ୍ରକ୍ରିୟାରେ ସହଯୋଗ କରିଥିଲେ।

ପରବର୍ତ୍ତୀ ସମୟରେ ନୂଆପଡ଼ା ତହସିଲଦାର, ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ ସୁପାରିଶ ପରେ ଆବେଦନଟି ଓଡ଼ିଶା ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଦ୍ୱାରା ମଞ୍ଜୁର ହୋଇଥିଲା। ଶେଷରେ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ମଞ୍ଜୁର ହେବା ସହ ପ୍ରଦାନ କରାଯାଇଛି।

ଏହି ପ୍ରକ୍ରିୟାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନର ସମନ୍ୱିତ ପ୍ରୟାସ ଫଳରେ ଶୋକସନ୍ତପ୍ତ ପରିବାର ଆର୍ଥିକ ସହାୟତା ପାଇପାରିଛି।

Spread the love

Leave a Reply

Your email address will not be published. Required fields are marked *