ମାଟି ଦୀପର ଚାହିଦା କମୁଛି, ବଜାରରେ ମାନ୍ଦାବସ୍ଥା; କୌଳିକ ବୃତ୍ତି ବଞ୍ଚାଇବାକୁ ପ୍ରୋତ୍ସାହନ ଦାବି
ବାଲିପାଟଣା (ଓଡ଼ିଶ୍ରୀ ସମ୍ବାଦ): ଆଲୋକର ପର୍ବ ଦୀପାବଳିକୁ ଆଉ ଅଳ୍ପ ଦିନ ବାକି। ଚାରିଆଡ଼େ ପର୍ବ ପାଳନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଏହି ସମୟରେ ଦୁଇ ପଇସା ରୋଜଗାରର ଆଶା ରଖିଥିବା କୁମ୍ଭକାର ପରିବାରଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ୍ର ଦାମୋଦରପୁର, ତୁରିନ୍ତିରା ଓ ନରୋଦା ଗାଁର ଶତାଧିକ କୁମ୍ଭକାର ପରିବାରଙ୍କ ପାରମ୍ପରିକ କୌଳିକ ବୃତ୍ତି ଏବେ ସଙ୍କଟରେ ପଡ଼ିଛି।
ଦିନେ ପ୍ରତ୍ୟେକ ଘରେ ମାଟିପାତ୍ରର ବେଶ୍ ଚାହିଦା ରହିଥିଲା। ହାଣ୍ଡି, ମାଠିଆ, ଦୀପ ଓ ଅନ୍ୟାନ୍ୟ ମାଟି ସାମଗ୍ରୀ ଲୋକଙ୍କ ଦୈନନ୍ଦିନ ଜୀବନର ଅଂଶ ଥିଲା। କିନ୍ତୁ ଆଧୁନିକତାର ପ୍ରଭାବରେ ମାଟିପାତ୍ରର ବ୍ୟବହାର କ୍ରମଶଃ କମିବାରେ ଲାଗିଛି। ଏବେ କେବଳ କେତେକ ପୂଜାପର୍ବ ଓ ସାମାଜିକ ଉତ୍ସବରେ ମାଟି ସାମଗ୍ରୀର ଆବଶ୍ୟକତା ଦେଖିବାକୁ ମିଳୁଛି। ଉପଯୁକ୍ତ ପ୍ରୋତ୍ସାହନ ଓ ବଜାର ସୁବିଧାର ଅଭାବ ମଧ୍ୟ ଏହି ବୃତ୍ତିକୁ ପ୍ରଭାବିତ କରୁଛି। ଏପରି ସ୍ଥିତିରେ ଯୁବପିଢ଼ି ମଧ୍ୟ ପୂର୍ବପୁରୁଷଙ୍କ ଏହି ବୃତ୍ତିରୁ ଦୂରେଇ ଯାଉଥିବା କୁହାଯାଉଛି।
ଚଳିତ ଦୀପାବଳିକୁ ଦୃଷ୍ଟିରେ ରଖି କୁମ୍ଭକାରମାନେ ବିଭିନ୍ନ ଆକୃତି ଓ ରଙ୍ଗର ମାଟିଦୀପ ତିଆରି କରିଛନ୍ତି। ତେବେ ବଜାରରେ ମେସିନ୍ ତିଆରି ଶସ୍ତା ସାମଗ୍ରୀ, ପ୍ଲାଷ୍ଟିକ୍ ଦୀପ ଓ ରଙ୍ଗବେରଙ୍ଗର ବିଦ୍ୟୁତ୍ ଆଲୋକ ଉପଲବ୍ଧ ହେଉଥିବାରୁ ହାତତିଆରି ମାଟିଦୀପର ବିକ୍ରି ପ୍ରଭାବିତ ହେଉଛି। ମାଟିଦୀପ ତିଆରିରେ ଶ୍ରମ ଓ ସମୟ ଅଧିକ ଲାଗୁଥିବାରୁ ଏହାର ଦାମ୍ ତୁଳନାତ୍ମକ ଭାବେ ଅଧିକ ରହୁଛି। ଫଳରେ ଗ୍ରାହକଙ୍କ ଆଗ୍ରହ କମୁଥିବା କାରିଗରମାନେ କହିଛନ୍ତି।
ଏହି ପରିସ୍ଥିତିରେ ସନ୍ତୋଷ ମୁଦୁଲି, ରଚନା ମୁଦୁଲି, ଲଲିତା ମୁଦୁଲି ଓ ବାସନ୍ତୀ ମୁଦୁଲିଙ୍କ ପରି କାରିଗରମାନେ ଆଧୁନିକ ରୁଚିକୁ ଧ୍ୟାନରେ ରଖି ବିଭିନ୍ନ ରଙ୍ଗ ଓ ଡିଜାଇନ୍ର ଦୀପ ତିଆରି କରୁଛନ୍ତି। ଗାଁ ଗାଁ ବୁଲି ମାଟିପାତ୍ର, ଦୀପ, ହାଣ୍ଡି ଓ ମାଠିଆ ବିକ୍ରି କରୁଥିଲେ ମଧ୍ୟ ଆଶାନୁରୂପ ଗ୍ରାହକ ମିଳୁନଥିବାରୁ ବ୍ୟବସାୟରେ ଲାଭ ହେଉନାହିଁ ବୋଲି ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି।
କୁମ୍ଭକାରଙ୍କ ଏହି ପାରମ୍ପରିକ ବୃତ୍ତିକୁ ବଞ୍ଚାଇ ରଖିବା ପାଇଁ ସରକାରୀ ସ୍ତରରେ ସହାୟତା, ଆର୍ଥିକ ପ୍ରୋତ୍ସାହନ ଓ ବଜାର ସୁବିଧା ଯୋଗାଇଦେବାକୁ ଦାବି ଉଠିଛି। କ୍ଷୁଦ୍ର ଶିଳ୍ପ ସଂସ୍ଥା ଓ ଓରମାସ୍ (ORMAS) ଭଳି ସଂସ୍ଥା ମାଧ୍ୟମରେ ଉତ୍ପାଦିତ ସାମଗ୍ରୀର ବିକ୍ରି ପାଇଁ ସୁଯୋଗ ମିଳିଲେ କାରିଗରମାନେ ଉପକୃତ ହେବା ସହ ଯୁବପିଢ଼ି ମଧ୍ୟ ଏହି ବୃତ୍ତି ପ୍ରତି ଆକୃଷ୍ଟ ହୋଇପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
