• Sat. Nov 7th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଜନଗଣନା-୨୦୨୭ ପାଇଁ ମୟୂରଭଞ୍ଜରେ ଦୁଇଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର

Byodishri Live

Nov 7, 2026

ଜାନୁଆରୀ ୨୫ରୁ ଫେବୃଆରୀ ୨୮ ପର୍ଯ୍ୟନ୍ତ ଚାଲିବ ଜନସଂଖ୍ୟା ଗଣନା; ୪୦ଟି ପ୍ରଶ୍ନ ଆଧାରରେ ସଂଗ୍ରହ ହେବ ତଥ୍ୟ

ବାରିପଦା, (ଓଡ଼ିଶ୍ରୀ ସମ୍ବାଦ): ଜନଗଣନା-୨୦୨୭ର ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ୍ ଜନସଂଖ୍ୟା ଗଣନାକୁ ସୁଚାରୁ ଓ ସଠିକ୍‌ ଭାବେ ସମ୍ପାଦନ କରିବା ଉଦ୍ଦେଶ୍ୟରେ ମୟୂରଭଞ୍ଜ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଦୁଇଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ ଦୁଃଖବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା।

ଏଥିରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଉଗ୍ରେସନ ଓରାମ, କରଞ୍ଜିଆ ଅତିରିକ୍ତ ଉପଜିଲ୍ଲାପାଳ ପ୍ରକାଶ କୁମାର ଦାସ ଏବଂ ମୟୂରଭଞ୍ଜର ଉପଜିଲ୍ଲା ଜନଗଣନା ଅଧିକାରୀ ମାନସୀ ତରାଇ ଉପସ୍ଥିତ ଥିଲେ।

ଜନଗଣନା ନିର୍ଦ୍ଦେଶାଳୟର ସହକାରୀ ନିର୍ଦ୍ଦେଶକ ପ୍ରଫୁଲ୍ଲ କୁମାର ଦାସ ଏବଂ ଜିଲ୍ଲା ଜନଗଣନା ଦାୟିତ୍ୱପ୍ରାପ୍ତ ଅଧିକାରୀ ତନ୍ମୟ ଗୁପ୍ତା ପ୍ରଶିକ୍ଷକ ଭାବେ ଯୋଗଦେଇ ଜନଗଣନାର ବିଭିନ୍ନ ପ୍ରକ୍ରିୟା ଓ ନିୟମାବଳୀ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ। ଏହି ପ୍ରଶିକ୍ଷଣରେ ତହସିଲଦାର, ଅତିରିକ୍ତ ତହସିଲଦାର, ବିଭିନ୍ନ ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀ, ଚାର୍ଜ କ୍ଲର୍କ ଏବଂ ବୈଷୟିକ ସହାୟକମାନେ ଅଂଶଗ୍ରହଣ କରିଥିଲେ।

ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ୨୦୨୭ ଜାନୁଆରୀ ୧୦ରୁ ୨୪ ତାରିଖ ପର୍ଯ୍ୟନ୍ତ ସ୍ୱୟଂ ଗଣନା (Self-Enumeration) ପାଇଁ ସୁଯୋଗ ରହିବ। ଏହାପରେ ଜାନୁଆରୀ ୨୫ରୁ ଫେବୃଆରୀ ୨୮ ପର୍ଯ୍ୟନ୍ତ ଜନଗଣନାକାରୀମାନେ ଘରକୁ ଘର ବୁଲି ଜନସଂଖ୍ୟା ଗଣନା କରିବେ। ପ୍ରତ୍ୟେକ ପରିବାରକୁ ଯାଇ ନିର୍ଦ୍ଧାରିତ ପ୍ରଶ୍ନାବଳୀ ଅନୁଯାୟୀ ତଥ୍ୟ ସଂଗ୍ରହ କରାଯିବ।

ଏହି ପର୍ଯ୍ୟାୟରେ ମୋଟ ୪୦ଟି ପ୍ରଶ୍ନ ମାଧ୍ୟମରେ ବ୍ୟକ୍ତିଙ୍କ ଜନସାଂଖ୍ୟିକ, ସାମାଜିକ ଓ ଆର୍ଥିକ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରାଯିବ। ଏଥିରେ ବୟସ, ଲିଙ୍ଗ, ଶିକ୍ଷା, ବୃତ୍ତି, ପରିବାରର ଗଠନ, ସାମାଜିକ ପରିଚୟ ସମେତ ଅନ୍ୟାନ୍ୟ ବିଷୟ ସ୍ଥାନ ପାଇଛି।

ଜନଗଣନାରୁ ସଂଗୃହୀତ ତଥ୍ୟ ଦେଶର ଜନସଂଖ୍ୟାଗତ ସ୍ଥିତି ଆକଳନ ସହ ବିଭିନ୍ନ ଯୋଜନା ପ୍ରସ୍ତୁତି, ସମ୍ବଳ ବଣ୍ଟନ ଏବଂ ଭବିଷ୍ୟତର ବିକାଶମୂଳକ ଆବଶ୍ୟକତା ନିର୍ଦ୍ଧାରଣରେ ସହାୟକ ହେବ। ଏହି ପ୍ରକ୍ରିୟାକୁ ସଠିକ୍‌ ଭାବେ ସମ୍ପାଦନ କରିବା ପାଇଁ ଜିଲ୍ଲାସ୍ତରରେ ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରଶିକ୍ଷିତ କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *