• Sat. Nov 7th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

କୁସୁମଗୁଡ଼ାରେ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଶିଳାନ୍ୟାସ

Byodishri Live

Nov 7, 2026

ଗ୍ରାମାଞ୍ଚଳରେ ଗୁଣାତ୍ମକ ଶିକ୍ଷାର ଲକ୍ଷ୍ୟ; ତୃତୀୟ ପର୍ଯ୍ୟାୟରେ ରାଜ୍ୟର ୬୩୦ଟି ବିଦ୍ୟାଳୟ ସାମିଲ

ଲକ୍ଷ୍ମୀପୁର, (ଓଡ଼ିଶ୍ରୀ ସମ୍ବାଦ): ଗ୍ରାମାଞ୍ଚଳର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଛାତ୍ରଛାତ୍ରୀଙ୍କୁ ଆଧୁନିକ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ଲକ୍ଷ୍ୟରେ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ତୃତୀୟ ପର୍ଯ୍ୟାୟରେ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ୍‌ର କୁସୁମଗୁଡ଼ାକୁ ସାମିଲ କରାଯାଇଛି। ଏହି ପର୍ଯ୍ୟାୟରେ ରାଜ୍ୟର ମୋଟ ୬୩୦ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।

ଏହି ଅବସରରେ କୁସୁମଗୁଡ଼ାସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିଳାନ୍ୟାସ ସମାରୋହ ଆୟୋଜିତ ହୋଇଥିଲା। ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ଶିଳାନ୍ୟାସ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

କାର୍ଯ୍ୟକ୍ରମରେ ସୁଆଇ କୁଲେସିକା, ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଆରତୀ କୁଲଦୀପ, ଏବିଇଓ ମଦନ ମୁଦୁଲି, ଲକ୍ଷ୍ମୀପୁର ବିଜେପି ମଣ୍ଡଳ ସଭାପତି ଅଜୟ କୁମାର ଖରା, କାକିରିଗୁମ୍ମା ମଣ୍ଡଳ ସଭାପତି ଶର୍ମା ହିକକା, ବୁଦ୍ଧିଜୀବୀ କିଶୋର ସାହୁ, ନକୁଳ ବିଷୋୟୀ ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସହଦେବ ହିଆଲ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।

ସମାରୋହର ଆରମ୍ଭରେ ଅତିଥିମାନେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ର ସମ୍ମୁଖରେ ପୂଜାର୍ଚ୍ଚନା କରିଥିଲେ। ପରେ ଉପସ୍ଥିତ ଅତିଥି, ସାମ୍ବାଦିକ ଓ ଶିକ୍ଷା ବିଭାଗର କର୍ମଚାରୀମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।

ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ପଞ୍ଚାୟତ ସ୍ତରରେ ଶିକ୍ଷାର ଭିତ୍ତିଭୂମିର ଆଧୁନିକୀକରଣ, ଶିକ୍ଷାର ମାନ ବୃଦ୍ଧି ଏବଂ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମଧ୍ୟରେ ରହିଥିବା ଶିକ୍ଷାଗତ ବ୍ୟବଧାନ ହ୍ରାସ କରିବା। ଏହାଦ୍ୱାରା ଗ୍ରାମାଞ୍ଚଳର ଶିଶୁମାନେ ଉନ୍ନତ ଶିକ୍ଷା ପରିବେଶରେ ପାଠପଢ଼ିବାର ସୁଯୋଗ ପାଇବେ ବୋଲି ଆଶା ପ୍ରକାଶ ପାଇଛି।

କାର୍ଯ୍ୟକ୍ରମକୁ ଏବିଇଓ ବିଭୁତି ଭୂଷଣ ଟାକ୍ରୀ ପରିଚାଳନା କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁରେନ୍ଦ୍ର କୁଲଦୀପଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ଆୟୋଜନରେ ସହଯୋଗ କରିଥିଲେ। ଏଥିରେ ବହୁ ଛାତ୍ରଛାତ୍ରୀ ମଧ୍ୟ ଉପସ୍ଥିତ ଥିଲେ।

ତେବେ କେବଳ ଶିଳାନ୍ୟାସ ଓ ଘୋଷଣାରେ ଯୋଜନାର ସଫଳତା ସୀମିତ ନ ରହି, ନିର୍ମାଣ କାର୍ଯ୍ୟର ସମୟୋଚିତ ସମାପ୍ତି, ଆବଶ୍ୟକ ଶିକ୍ଷକ ନିଯୁକ୍ତି, ଉନ୍ନତ ଶିକ୍ଷା ପରିବେଶ ଓ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। କୁସୁମଗୁଡ଼ାରେ ଶିଳାନ୍ୟାସ ହୋଇଥିବା ବିଦ୍ୟାଳୟ କେବେ କାର୍ଯ୍ୟକ୍ଷମ ହେବ ଏବଂ ଏହା ସ୍ଥାନୀୟ ଶିକ୍ଷା ବ୍ୟବସ୍ଥାରେ କି ପରିବର୍ତ୍ତନ ଆଣିବ, ତାହା ଆଗାମୀ ଦିନରେ ଦେଖିବାକୁ ବାକି ରହିଲା।

Spread the love

Leave a Reply

Your email address will not be published. Required fields are marked *