କେନାଲ ଗେଟ୍ରୁ ୨୫ ବର୍ଷୀୟ ଯୁବକଙ୍କ ମୃତଦେହ ଉଦ୍ଧାର; ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ଦ୍ୱାରା ତଦନ୍ତ ଦାବି
କୋକସରା/ଧର୍ମଗଡ଼ (ଓଡ଼ିଶ୍ରୀ ସମ୍ବାଦ): କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ଅଧୀନ ଜଳତାମୁଣ୍ଡା ବାମ କେନାଲ ଡିଭିଜନର ୩୨ ନମ୍ବର ଗେଟ୍ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି। ମୃତକ ମତୁଆଲଗୁଡ଼ା ବିଜାପଡ଼ା ଗ୍ରାମର ଯୁଗସନ କରୁଆଁଙ୍କ ପୁଅ ଭାରତ କରୁଆଁ (୨୫) ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଭାରତ ଗତକାଲି ସନ୍ଧ୍ୟାରେ ଘରୁ ବାହାରିଥିଲେ, ହେଲେ ଆଉ ଘରକୁ ଫେରିନଥିଲେ। ଗାଁ ଓ ଆଖପାଖ ଅଞ୍ଚଳରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବାରୁ ସେ କାର୍ଯ୍ୟକ୍ରମ ଦେଖିବାକୁ ଯାଇଥିବେ ବୋଲି ପରିବାର ଲୋକେ ଭାବିଥିଲେ। ପରେ ତାଙ୍କୁ ଖୋଜାଖୋଜି କରିଥିଲେ।
ଆଜି ସକାଳେ କିଛି ସ୍ଥାନୀୟ ଲୋକ କେନାଲ ଗେଟ୍ ନିକଟରେ ଯୁବକଙ୍କ ମୃତଦେହ ଦେଖି ମୋଟେର ଫାଣ୍ଡି ଓ କୋକସରା ପୋଲିସକୁ ଖବର ଦେଇଥିଲେ। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।
ଅନ୍ୟପକ୍ଷରେ, ଭାରତଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିବା ପରେ ତାଙ୍କ ବେକରେ ରଶି ଲଗାଇ ଘଟଣାକୁ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣାର ସଠିକ୍ ତଦନ୍ତ ପାଇଁ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ର ସହାୟତା ନେବାକୁ ସେମାନେ ଦାବି କରିଛନ୍ତି।
ତେବେ ଯୁବକଙ୍କ ମୃତ୍ୟୁର ପ୍ରକୃତ କାରଣ କ’ଣ, ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।
