ଷଣ୍ଢଙ୍କ ଉପଦ୍ରବ ନିୟନ୍ତ୍ରଣ, ବନ୍ୟା କ୍ଷତିପୂରଣ ଓ ରବି ଫସଲ ପାଇଁ ମାଗଣା କୃଷି ସାମଗ୍ରୀ ଯୋଗାଣ ଦାବି
ବରୀ, (ଓଡ଼ିଶ୍ରୀ ସମ୍ବାଦ): ଯାଜପୁର ଜିଲ୍ଲାର ଚାଷୀମାନଙ୍କ ବିଭିନ୍ନ ସମସ୍ୟା ଓ ହକ୍କୁ ନେଇ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ତିନି ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଦୀର୍ଘଦିନ ଧରି ଚାଷୀଙ୍କ ସମସ୍ୟା ନେଇ ସଂଗଠନ ପକ୍ଷରୁ ଦାବି ଉଠାଯାଉଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଏହାକୁ ଅଣଦେଖା କରୁଥିବା ସଂଗଠନ ଅଭିଯୋଗ କରିଛି।
ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଗତ ୧୬ ବର୍ଷ ଧରି ଚାଷୀଙ୍କ ହକ୍, ଧାନ ସଂଗ୍ରହ, ମଣ୍ଡି ସମସ୍ୟା, ସର୍ବନିମ୍ନ ସହାୟକ ମୂଲ୍ୟ ଓ ଅନ୍ୟାନ୍ୟ କୃଷି ସମସ୍ୟାର ସମାଧାନ ପାଇଁ ସଂଗଠନ ଦାବି କରିଆସୁଛି। ଏହି କ୍ରମରେ ଜିଲ୍ଲାର ତିନୋଟି ପ୍ରମୁଖ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି।
ସଂଗଠନର ମୁଖ୍ୟ ଦାବିଗୁଡ଼ିକ ମଧ୍ୟରେ ଜିଲ୍ଲାରେ ଷଣ୍ଢଙ୍କ ଉପଦ୍ରବ ନିୟନ୍ତ୍ରଣ, ବିଭିନ୍ନ ବ୍ଲକ୍ରେ ଗତ ଦିନଗୁଡ଼ିକରେ ହୋଇଥିବା ଭୟଙ୍କର ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଏବଂ ଆଗାମୀ ରବି ଋତୁରେ ଚାଷୀଙ୍କୁ ମାଗଣାରେ ବିହନ, କୀଟନାଶକ ଓ ସାର ଯୋଗାଇଦେବା ଅନ୍ତର୍ଭୁକ୍ତ ରହିଛି।
ଏହି ଦାବିଗୁଡ଼ିକ ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସଂଗଠନର ପ୍ରତିନିଧିମଣ୍ଡଳୀ ଚେତାବନୀ ଦେଇଛନ୍ତି।
ଦାବିପତ୍ର ପ୍ରଦାନ ସମୟରେ ଅଶୋକ ଶାନ୍ତି, ଚୌଧୁରୀ ଜେନା, ଦେବେନ୍ଦ୍ର ପଣ୍ଡା, ବ୍ରହ୍ମାନନ୍ଦ ଦାସ, ବସନ୍ତ ପରିଡ଼ା, ଦାମୋଦର ନାୟକ, ଭାସ୍କର ପରିଡ଼ା, ସୁବାସ ଖଣ୍ଡାଇ, ରଙ୍ଗାଧର ଦାସ, ପ୍ରଶାନ୍ତ ପଢ଼ିହାରୀ, ସୂର୍ଯ୍ୟନାରାୟଣ ଦାସ, ଅମୂଲ୍ୟ ଦେବତା ଓ ସନାତନ ସାହୁଙ୍କ ସମେତ ସଂଗଠନର ଅନ୍ୟ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
