ନିର୍ମାଣ କାର୍ଯ୍ୟ ଅଧାରେ ବନ୍ଦ; କେବେ ସରିବ କାମ, ଉଠିଲା ପ୍ରଶ୍ନ
ଜୟପାଟଣା, (ଓଡ଼ିଶ୍ରୀ ସମ୍ବାଦ): ଗ୍ରାମାଞ୍ଚଳର ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ସରକାର ବିଭିନ୍ନ ଯୋଜନା ହାତକୁ ନେଉଛନ୍ତି। ହେଲେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଦୀର୍ଘ ଦୁଇ ବର୍ଷ ଧରି ଅଧାରେ ଅଟକି ରହିଛି ପାଣିଟାଙ୍କି। ଏଭଳି ସ୍ଥିତି ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ପାଇକେନ୍ଦୁମୁଣ୍ଡି ପଞ୍ଚାୟତର ପ୍ରଧାନୀପଡ଼ା ଗ୍ରାମରେ। ଫଳରେ ପାନୀୟ ଜଳ ସମସ୍ୟାକୁ ନେଇ ଗ୍ରାମବାସୀ ହଇରାଣ ହେଉଥିବା ଅଭିଯୋଗ ହୋଇଛି।
ଗ୍ରାମର ପ୍ରତ୍ୟେକ ଘରକୁ ପାନୀୟ ଜଳ ଯୋଗାଣ ଲକ୍ଷ୍ୟରେ ପାଣିଟାଙ୍କି ନିର୍ମାଣ କାର୍ଯ୍ୟ ପ୍ରାୟ ଦୁଇ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା। ହେଲେ ଏପର୍ଯ୍ୟନ୍ତ କାମ ସମ୍ପୂର୍ଣ୍ଣ ହୋଇପାରିନାହିଁ। ନିର୍ମାଣାଧୀନ ଟାଙ୍କି ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଥିବା ବେଳେ କାହିଁକି କାମ ବନ୍ଦ ହୋଇଛି, ତାହାର କାରଣ ଜଣାପଡ଼ିନାହିଁ।
ସରକାରୀ ଯୋଜନାରେ ଅର୍ଥ ମଞ୍ଜୁର ହୋଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉଥିଲେ ମଧ୍ୟ ନିର୍ଦ୍ଧାରିତ ସମୟରେ କାମ ଶେଷ ନହେବାରୁ ଏହାର ସୁଫଳ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ପ୍ରଧାନୀପଡ଼ାରେ ଦୁଇ ବର୍ଷ ଧରି ପାଣିଟାଙ୍କି ନିର୍ମାଣ ଅଟକି ରହିବା ଏହାର ଏକ ଉଦାହରଣ ବୋଲି ଅଞ୍ଚଳବାସୀ କହିଛନ୍ତି।
ପାଣିଟାଙ୍କି ନିର୍ମାଣ କାର୍ଯ୍ୟ କାହିଁକି ବନ୍ଦ ରହିଛି, ଏଥିପାଇଁ କିଏ ଦାୟୀ ଏବଂ କେବେ ଏହା ସମ୍ପୂର୍ଣ୍ଣ ହେବ, ସେନେଇ ଗ୍ରାମବାସୀଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି। ତୁରନ୍ତ ନିର୍ମାଣ କାର୍ଯ୍ୟ ପୁନର୍ବାର ଆରମ୍ଭ କରି ଶୀଘ୍ର ଘରେ ଘରେ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ ସେମାନେ ଦାବି କରିଛନ୍ତି।
