ବାଲିଗୁଡ଼ା, (ଓଡ଼ିଶ୍ରୀ ସମ୍ବାଦ): ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ କେରଳ ଯାଇଥିବା ପୁଅର ମୃତ୍ୟୁ ଖବର ଶୁଣି ଭାଙ୍ଗି ପଡ଼ିଛନ୍ତି ଜଣେ ବୃଦ୍ଧା ମାଆ। ଆର୍ଥିକ ଅନଟନ ଯୋଗୁଁ ପୁଅର ମୃତଦେହକୁ ଜନ୍ମମାଟିକୁ ଫେରାଇ ଆଣିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା। ଏଭଳି ସମୟରେ ସୋସିଆଲ ୱାର୍କର୍ସ ଆସୋସିଏସନ୍ ଅଫ୍ କନ୍ଧମାଳ (ସ୍ୱାକ୍)ର ଉଦ୍ୟମରେ ଜିଲ୍ଲା ପ୍ରଶାସନ ସହାୟତାର ହାତ ବଢ଼ାଇଛି। ମୃତଦେହ ପରିବହନ ପାଇଁ ଜିଲ୍ଲାପାଳ ୨୫ ହଜାର ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରିଛନ୍ତି।
ଏଭଳି ଘଟଣା କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ୍ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ତରାବାଡ଼ି (କୁଅଁସାହି) ଗ୍ରାମରେ ଘଟିଛି। ଗ୍ରାମର ବସନ୍ତ ନାୟକଙ୍କ ୪୦ ବର୍ଷୀୟ ପୁଅ ରାଜେଶ ନାୟକ ଜୀବିକା ନିର୍ବାହ ପାଇଁ କେରଳ ଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ନଭେମ୍ବର ୭ ତାରିଖରେ ପରିବାର ଲୋକେ ତାଙ୍କ ମୃତ୍ୟୁ ସମ୍ପର୍କରେ ଖବର ପାଇଥିଲେ। ବର୍ତ୍ତମାନ ତାଙ୍କ ମୃତଦେହ କେରଳର ତ୍ରିଶୁର ମେଡିକାଲ କଲେଜରେ ରହିଛି।

ପୁଅର ମୃତଦେହକୁ ଗାଁକୁ ଫେରାଇ ଆଣିବା ପାଇଁ ଆବଶ୍ୟକ ଅର୍ଥ ନଥିବାରୁ ପରିବାର ପକ୍ଷରୁ ସ୍ୱାକ୍ର ସହଯୋଗ ଲୋଡ଼ାଯାଇଥିଲା। ଏହାପରେ ସଂଗଠନ ପକ୍ଷରୁ କନ୍ଧମାଳ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ନିବେଦନ କରାଯିବା ସହ ମୃତଦେହ ଫେରାଇ ଆଣିବା ପାଇଁ ଉଦ୍ୟମ କରାଯାଇଥିଲା। ସ୍ୱାକ୍ର ସଭାପତି ଆମନ ଚନ୍ଦ୍ର ନାୟକଙ୍କ ଅନୁରୋଧକ୍ରମେ ଜିଲ୍ଲାପାଳ ମୃତଦେହ ପରିବହନ ନିମନ୍ତେ ୨୫ ହଜାର ଟଙ୍କା ମଞ୍ଜୁର କରିଥିଲେ।
ଏନେଇ ଆଜି ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ କୁଶଳ ଚନ୍ଦ୍ର ନାଏକଙ୍କଠାରୁ ସହାୟତା ରାଶିର ଚେକ୍ ଗ୍ରହଣ କରାଯାଇଛି। ଜିଲ୍ଲା ପ୍ରଶାସନର ଏହି ସହାୟତା ଶୋକାକୁଳ ପରିବାରକୁ କିଛିଟା ଆଶ୍ୱାସନା ଦେଇଛି।
ଅନ୍ୟପକ୍ଷରେ, ଏହି ଘଟଣା ପୁଣିଥରେ କନ୍ଧମାଳ ଜିଲ୍ଲାରେ ଦାଦନ ସମସ୍ୟାର ଗମ୍ଭୀରତାକୁ ସାମ୍ନାକୁ ଆଣିଛି। ଗତ ୧୦୫ ଦିନ ମଧ୍ୟରେ ଜିଲ୍ଲାର ୨୨ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ତଥ୍ୟ ଚିନ୍ତା ବଢ଼ାଇଛି। ଜୀବିକା ଓ ରୋଜଗାରର ଅଭାବ ଯୋଗୁଁ ଶ୍ରମିକମାନେ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଥିବା ବେଳେ ସେମାନଙ୍କ ସୁରକ୍ଷା ଓ ଜିଲ୍ଲାରେ ସ୍ଥାୟୀ ରୋଜଗାର ସୃଷ୍ଟି ଦିଗରେ ଠୋସ୍ ପଦକ୍ଷେପ ନେବାକୁ ଦାବି ହେଉଛି।
ଚେକ୍ ଗ୍ରହଣ ସମୟରେ ସ୍ୱାକ୍ର ସମ୍ପାଦକ ହୃଷୀକେଶ ପ୍ରଧାନ, ସଦସ୍ୟ ଅମରେନ୍ଦ୍ର ନାୟକ ଏବଂ ମୃତକଙ୍କ ପରିବାର ପକ୍ଷରୁ ପ୍ରକାଶ ଚନ୍ଦ୍ର ନାୟକ ଉପସ୍ଥିତ ଥିଲେ।
