ଭଦ୍ରକ (ଓଡ଼ିଶ୍ରୀ ସମ୍ବାଦ): ଆଗାମୀ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ବେଆଇନ ବାଣ କାରବାର ରୋକିବା ଏବଂ ଜନସାଧାରଣଙ୍କ ସୁରକ୍ଷା ପାଇଁ ଭଦ୍ରକ ଟାଉନ ପୋଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ସମୟରେ ନିୟମବହିର୍ଭୂତ ଭାବେ ଗଚ୍ଛିତ ରଖାଯାଇଥିବା ବହୁ ପରିମାଣର ବାଣ ଜବତ କରାଯାଇଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚଢ଼ାଉ ବେଳେ ବଜାରରେ ବିକ୍ରୟ ପାଇଁ ରଖାଯାଇଥିବା ବଡ଼ ବାଣ ଏବଂ ଅତ୍ୟଧିକ ଶବ୍ଦ ସୃଷ୍ଟିକାରୀ ସୁତୁଲି ବାଣ ଜବତ ହୋଇଥିଲା। ଏହି ବାଣଗୁଡ଼ିକୁ ନିୟମ ଉଲ୍ଲଂଘନ କରି ଗଚ୍ଛିତ ରଖାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।
ଜବତ ବାଣଗୁଡ଼ିକୁ ପୋଲିସ ପାଣି ପକାଇ ନଷ୍ଟ କରିଦେଇଥିବା ସୂଚନା ମିଳିଛି। ସମ୍ଭାବ୍ୟ ଅଘଟଣକୁ ଏଡ଼ାଇବା ସହ ପର୍ବପର୍ବାଣୀ ସମୟରେ ଶାନ୍ତିଶୃଙ୍ଖଳା ଓ ଜନସୁରକ୍ଷା ବଜାୟ ରଖିବା ଏହି ଅଭିଯାନର ଉଦ୍ଦେଶ୍ୟ ବୋଲି ଜଣାପଡ଼ିଛି।
ବେଆଇନ ଭାବେ ବାଣ ଗଚ୍ଛିତ ରଖିବା ଓ ବିକ୍ରୟ କରିବା ଭଳି ନିୟମ ଉଲ୍ଲଂଘନ ବିରୋଧରେ ଆଗକୁ ମଧ୍ୟ ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
