ବୌଦ୍ଧ: ଭାରତୀୟ ଜନତା ପାର୍ଟି (ବିଜେପି) ବୌଦ୍ଧ ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ପ୍ରେମାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ୨୦୨୪ ନିର୍ବାଚନ ପରେ ଜିଲ୍ଲାରେ ପ୍ରଥମ ଥର ପାଇଁ ଏହି ବୈଠକ ଆୟୋଜିତ ହୋଇଥିବା ଦଳ ପକ୍ଷରୁ କୁହାଯାଇଛି।
ବୈଠକର ଉଦ୍ଘାଟନୀ ସତ୍ରରେ ଖଣି ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଉପସ୍ଥିତ ରହି ଦଳୀୟ ପତାକା ଉତ୍ତୋଳନ କରି ବୈଠକର ଶୁଭାରମ୍ଭ କରିଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟାନନ୍ଦ ପାଣ୍ଡେ ସ୍ୱାଗତ ଭାଷଣ ଦେବା ପରେ ମନ୍ତ୍ରୀ ଶ୍ରୀ ଜେନା ଉଦ୍ଘାଟନୀ ଭାଷଣ ପ୍ରଦାନ କରିଥିଲେ।
ଏହାପରେ ଜିଲ୍ଲା ସଭାପତି ପ୍ରେମାନନ୍ଦ ମିଶ୍ର ବୈଠକର ଉଦ୍ଦେଶ୍ୟ ଓ କାର୍ଯ୍ୟସୂଚୀ ସମ୍ପର୍କରେ ଅବଗତ କରାଇଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ତପନ କୁମାର ଡାଙ୍ଗ ଶୋକ ପ୍ରସ୍ତାବ ଉପସ୍ଥାପନ କରିବା ସହ ବୈଠକର ବିବରଣୀ ପଠନ କରିଥିଲେ।
ପରବର୍ତ୍ତୀ ସମୟରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଏବଂ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ କହ୍ନାଇ ଚରଣ ଡାଙ୍ଗ ବୈଠକର ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ।
ସମାପନୀ କାର୍ଯ୍ୟକ୍ରମରେ ରାଜ୍ୟ ଉପ-ସଭାପତି ଯତୀନ ମହାନ୍ତି ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ କାର୍ଯ୍ୟକର୍ତ୍ତାମାନଙ୍କୁ ଅବଗତ କରାଇଥିଲେ। ବୈଠକର ମଞ୍ଚ ପରିଚାଳନା ବନମାଳୀ ରଣା କରିଥିଲେ।
ଶେଷରେ ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟାନନ୍ଦ ପାଣ୍ଡେ ଉପସ୍ଥିତ ଅତିଥି ଓ କାର୍ଯ୍ୟକର୍ତ୍ତାମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହାପରେ ଜିଲ୍ଲା ସଭାପତି ପ୍ରେମାନନ୍ଦ ମିଶ୍ର ବୈଠକର ସାଙ୍ଗଠନିକ ସମାପନ ଘୋଷଣା କରିଥିଲେ।
