ଜି.ଉଦୟଗିରି (ଓଡ଼ିଶ୍ରୀ ସମ୍ବାଦ): କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ‘ଟିଚ୍ କନ୍ଧମାଳ’ କାର୍ଯ୍ୟକ୍ରମ ଅଧୀନରେ ଜି.ଉଦୟଗିରି ଅଞ୍ଚଳର ବିଭିନ୍ନ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଅଧିକାରୀମାନେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଛନ୍ତି।
କାର୍ଯ୍ୟକ୍ରମରେ ଉଦ୍ୟାନ କୃଷି ବିଭାଗର ଉପନିର୍ଦ୍ଦେଶକ ସ୍ମିତା ମହାନ୍ତି, ବିଶେଷଜ୍ଞ ସରୋଜ କୁମାର ସାହୁଙ୍କ ସମେତ ବିଭିନ୍ନ ଅଧିକାରୀ ବିଦ୍ୟାଳୟଗୁଡ଼ିକରେ ପହଞ୍ଚି ଶିକ୍ଷାଦାନ କରିଥିଲେ।
ଜିଲ୍ଲାପାଳ ବେଦ ଭୂଷଣ ମାଲିକାପୋଡ଼ି ପଞ୍ଚାୟତ ଅନ୍ତର୍ଗତ ଏକ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଥିଲେ। ସେହିପରି ପିଏ ଆଇଟିଡିଏ କୃପାସିନ୍ଧୁ ବେହେରା, ଏସିଏଫ୍ ଆଶିଷ କୁମାର କହଁର ଓ ଅନ୍ୟ ଅଧିକାରୀମାନେ ବିଭିନ୍ନ ସ୍କୁଲରେ ଶିକ୍ଷାଦାନ କରିଥିଲେ।
ରଟିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ସୀରକି ଉଚ୍ଚ ବିଦ୍ୟାଳୟରେ ଅଧିକାରୀମାନେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସହ ଶିକ୍ଷା ସମ୍ପର୍କିତ ଆଲୋଚନା କରିଥିଲେ। ଜନତା ଉଚ୍ଚ ବିଦ୍ୟାଳୟ ଓ ମହାତ୍ମା ଗାନ୍ଧୀ ଉଚ୍ଚ ବିଦ୍ୟାଳୟ ଟିଆଙ୍ଗିଆରେ ମଧ୍ୟ ଅଧିକାରୀମାନେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ।
ଜି.ଉଦୟଗିରି ତହସିଲଦାର ସମୁଦ୍ର ମିଶ୍ର, ଅତିରିକ୍ତ ତହସିଲଦାର ଦେବାଶିଷ ଜେନା, ଡିଏସ୍ଡବ୍ଲ୍ୟୁଓଙ୍କ ସମେତ ଅନ୍ୟ ଅଧିକାରୀମାନେ ମଧ୍ୟ ବିଭିନ୍ନ ବିଦ୍ୟାଳୟରେ ପହଞ୍ଚି ପାଠ ପଢ଼ାଇଥିଲେ। ଜି.ଉଦୟଗିରି ଆଦର୍ଶ ବିଦ୍ୟାଳୟରେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମଧ୍ୟ ଅଧିକାରୀମାନେ ଶିକ୍ଷାଦାନ କରିଥିଲେ।
‘ଟିଚ୍ କନ୍ଧମାଳ’ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରତି ଅଧିକ ଆଗ୍ରହୀ କରିବା ସହ ଶିକ୍ଷାର ଗୁଣବତ୍ତା ବୃଦ୍ଧିରେ ଏହା ସହାୟକ ହେବ ବୋଲି ଶିକ୍ଷା ଅଧିକାରୀ ରାଜେଶ କୁମାର ସ୍ୱାଇଁ କହିଛନ୍ତି।
