ତୁମୁଡ଼ିବନ୍ଧ (ଓଡ଼ିଶ୍ରୀ ସମ୍ବାଦ): କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ପାହାଡ଼ି’ ନାମକ ପ୍ରାଚୀର ପତ୍ରିକା ଉନ୍ମୋଚିତ ହୋଇଛି। ଛାତ୍ରଛାତ୍ରୀଙ୍କ ସୃଜନଶୀଳ ପ୍ରତିଭାକୁ ବିକଶିତ କରିବା ସହ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ଆଗ୍ରହ ବଢ଼ାଇବା ଏହି ପତ୍ରିକାର ମୁଖ୍ୟ ଉଦ୍ଦେଶ୍ୟ।
ବିଦ୍ୟାଳୟ ଅଧ୍ୟକ୍ଷ ଡଃ ସୁନୀଲ କୁମାର ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତୁମୁଡ଼ିବନ୍ଧ ଜଲେଶପଟ୍ଟା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଭିକାରୀ ବେହେରା ଯୋଗଦେଇଥିଲେ। ସେ ଧୂପଦୀପ ପ୍ରଜ୍ଜ୍ୱଳନ କରି ‘ପାହାଡ଼ି’ ପ୍ରାଚୀର ପତ୍ରିକାର ଉନ୍ମୋଚନ କରିଥିଲେ।
ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଅଧ୍ୟାପିକା ସୁନିତା ସାହୁଙ୍କ ତତ୍ତ୍ୱାବଧାନରେ ପତ୍ରିକାଟି ପ୍ରସ୍ତୁତ କରାଯାଇଥିଲା। ଏହି ଅବସରରେ ଅଧ୍ୟକ୍ଷ ଡଃ ପାତ୍ର କହିଥିଲେ ଯେ, ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାକୁ ସାମ୍ନାକୁ ଆଣିବା ସହ ସେମାନଙ୍କ ସୃଜନଶୀଳତା ବିକାଶରେ ଏଭଳି ପଦକ୍ଷେପ ସହାୟକ ହେବ।
କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀମାନେ ଉପସ୍ଥିତ ଥିଲେ। ଶେଷରେ ଅଧ୍ୟାପକ ଡଃ ସତ୍ୟରଞ୍ଜନ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।
