ଚାନ୍ଦବାଲି (ଓଡ଼ିଶ୍ରୀ ସମ୍ବାଦ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ସହର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ହୋଟେଲ, ଜଳଖିଆ ଦୋକାନ ଓ ରେଷ୍ଟୁରାଣ୍ଟଗୁଡ଼ିକରେ ଖାଦ୍ୟର ମାନ ଓ ସ୍ୱଚ୍ଛତାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି।
ସ୍ଥାନୀୟ ବାସିନ୍ଦା ଓ କିଛି ନିୟମିତ ଗ୍ରାହକଙ୍କ ଅଭିଯୋଗ ଅନୁଯାୟୀ, କେତେକ ହୋଟେଲରେ ନିମ୍ନମାନର ଖାଦ୍ୟ ପରିବେଷଣ ସହ ରନ୍ଧନ ପ୍ରକ୍ରିୟା ଓ ଖାଦ୍ୟ ସଂରକ୍ଷଣ ସ୍ଥାନରେ ଆବଶ୍ୟକ ସ୍ୱଚ୍ଛତା ରକ୍ଷା କରାଯାଉନଥିବା ଅଭିଯୋଗ ହୋଇଛି। ବାସି ଖାଦ୍ୟ, ଅସ୍ୱାସ୍ଥ୍ୟକର ତେଲ ଓ ଗୁଣବତ୍ତାହୀନ ସାମଗ୍ରୀ ବ୍ୟବହାର କରାଯାଉଥିବା ନେଇ ମଧ୍ୟ ଅଭିଯୋଗ ରହିଛି।
ଅଭିଯୋଗକାରୀଙ୍କ କହିବା ଅନୁଯାୟୀ, କେତେକ ହୋଟେଲର ରୋଷେଇ ଘର, ବାସନ ଧୋଇବା ସ୍ଥାନ ଓ ଖାଦ୍ୟ ଘୋଡ଼ାଇ ରଖିବା ବ୍ୟବସ୍ଥାରେ ସ୍ୱଚ୍ଛତା ନେଇ ପ୍ରଶ୍ନ ଉଠୁଛି। ଏଥିସହ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ନିୟମିତ ଯାଞ୍ଚ, ଚଢ଼ାଉ ଓ ଖାଦ୍ୟ ନମୁନା ସଂଗ୍ରହ ନେଇ ମଧ୍ୟ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି।
ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ ଖାଦ୍ୟ ନିରାପତ୍ତାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲା ପ୍ରଶାସନ ଓ ଖାଦ୍ୟ ସୁରକ୍ଷା ବିଭାଗ ଚାନ୍ଦବାଲି ଅଞ୍ଚଳର ହୋଟେଲ, ଜଳଖିଆ ଦୋକାନ ଓ ରେଷ୍ଟୁରାଣ୍ଟଗୁଡ଼ିକରେ ଆକସ୍ମିକ ଯାଞ୍ଚ କରି ଖାଦ୍ୟର ମାନ ଓ ସ୍ୱଚ୍ଛତା ଯାଞ୍ଚ କରିବାକୁ ସାଧାରଣରେ ଦାବି ହେଉଛି। ନିୟମ ଉଲ୍ଲଂଘନ ମିଳିଲେ ସମ୍ପୃକ୍ତ ପ୍ରତିଷ୍ଠାନ ବିରୋଧରେ ଆଇନାନୁସାରେ ପଦକ୍ଷେପ ନେବାକୁ ମଧ୍ୟ ଦାବି ହୋଇଛି।
