ମାହାଙ୍ଗା (ଓଡ଼ିଶ୍ରୀ ସମ୍ବାଦ): କଟକ ଜିଲ୍ଲା ମାହାଙ୍ଗା ବ୍ଲକର ଅଗ୍ରଣୀ କୃଷକ ଉତ୍ପାଦକ ସଂଗଠନ ‘କୈବଲ୍ୟ’ର ପଞ୍ଚମ ବାର୍ଷିକ ସାଧାରଣ ପରିଷଦ ବୈଠକ କୁହୁଣ୍ଡା ଗ୍ରାମପଞ୍ଚାୟତ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।
ସଂଗଠନର ଚେୟାରମ୍ୟାନ ସଂଯୁକ୍ତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକକୁ ମାହାଙ୍ଗା ବ୍ଲକ କୃଷି ଅଧିକାରୀ ବି.ପି. ରୋଜାଲିନ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ମାହାଙ୍ଗା ବ୍ଲକ ସହକାରୀ କୃଷି ଅଧିକାରୀ ସାର୍ଥକ ପାଣି ଯୋଗଦେଇ ଚାଷୀଙ୍କ ଆର୍ଥିକ ବିକାଶ ପାଇଁ ‘କୈବଲ୍ୟ’ ନିରନ୍ତର ଭାବେ କାର୍ଯ୍ୟ କରୁଥିବା କହିଥିଲେ।
ମୁଖ୍ୟବକ୍ତା ଭାବେ କୁଣ୍ଡି କୃଷି ସେବା ସମବାୟ ସମିତିର ସଭାପତି ଅଖିଳେଶ ପଦ ମହାନ୍ତି ଯୋଗଦେଇ ଚାଷୀମାନଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ‘କୈବଲ୍ୟ’ର ପ୍ରୟାସକୁ ପ୍ରଶଂସା କରିଥିଲେ।
ଅନ୍ୟତମ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ତଥା ପୂର୍ବତନ ସରପଞ୍ଚ ହେମନ୍ତ କୁମାର ପ୍ରଧାନ, ଅବସରପ୍ରାପ୍ତ ଜିଲ୍ଲା କୃଷି ଅଧିକାରୀ ସୁରେଶ କୁମାର ଜେନା ଏବଂ ନିର୍ମାଲ୍ୟ କୃଷକ ଉତ୍ପାଦକ ସଂଗଠନର ଚେୟାରମ୍ୟାନ ସ୍ନେହଲତା ସିଂ ପ୍ରମୁଖ ଯୋଗଦେଇ ଚାଷୀଙ୍କ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଉପରେ ମତ ରଖିଥିଲେ।
ନିଗମର ଜିଲ୍ଲା ସଂଯୋଜକ ଅନନ୍ତ ଗୋପାଳ ପ୍ରତିହାରୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ‘କୈବଲ୍ୟ’ ବୋର୍ଡ ଡାଇରେକ୍ଟର ରାହାସ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
କାର୍ଯ୍ୟକ୍ରମକୁ ଡାଇରେକ୍ଟର ସେକ୍ ତନିମ, ସିଇଓ ସବିତା ସେଠୀ, ମନୋଜ କୁମାର ଦାସ, ଅଶୋକ କୁମାର ରାଉତ, ରମେଶ ଜେନା ଓ ପରମାନନ୍ଦ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ।
ବୈଠକରେ ଅଗ୍ରଣୀ ଚାଷୀ ମହେଶ୍ୱର ରାଉତ, ଭାଗ୍ୟଧର ବେହେରା, ବ୍ରଜକିଶୋର ପରିଡ଼ା, ଅଜୟ ସ୍ୱାଇଁ, ଅରୁଣ ରାଉତ, ସମିରଣ ରାଉତ, ଭଗବାନ ପଲେଇ, ରାମଚନ୍ଦ୍ର ବେହେରା, ଶ୍ୟାମସୁନ୍ଦର ବେହେରା, ଦାଶରଥି ସାହୁଙ୍କ ସମେତ ଶତାଧିକ କୃଷକ ଯୋଗଦେଇ ନିଜ ନିଜର ମତ ରଖିଥିଲେ।
ଆଗାମୀ ଦିନରେ ‘କୈବଲ୍ୟ’ କୃଷକ ସଂଗଠନକୁ ଆହୁରି ସୁଦୃଢ଼ କରିବା ସହ ଚାଷୀମାନଙ୍କୁ ବିହନ, ସାର ଓ କୀଟନାଶକ ଯୋଗାଣ ଉପରେ ଗୁରୁତ୍ୱ ଦିଆଯିବ ବୋଲି ପରିଚାଳନା କମିଟି ପକ୍ଷରୁ କୁହାଯାଇଥିଲା। ଏଥିସହ ଚାଷୀଙ୍କଠାରୁ ମୁଗ, ସୋରିଷ ଓ ପନିପରିବା କ୍ରୟ କରିବା ନେଇ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।
