ନୂଆପଡ଼ା, (ଓଡ଼ିଶ୍ରୀ ସମ୍ବାଦ): ନୂଆପଡ଼ା ସଦର ମହକୁମା ଅନ୍ତର୍ଗତ ୩୫୩ ନମ୍ବର ଜାତୀୟ ରାଜପଥର ଗୋତମା ଛକ ନିକଟରେ ଓଏସଆରଟିସି ବସ୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ନୂଆପଡ଼ା ତେଲିପଡ଼ାର ଥାନୁରାମ ସାହୁ (୩୨) ବୋଲି ଜଣାପଡ଼ିଛି। ତାଙ୍କ ସହ ବାଇକ୍ରେ ଥିବା ରେଖୁରାମ ସାହୁ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ଥାନୁରାମ ଓ ରେଖୁରାମ ଏକ ବାଇକ୍ରେ ଖରିଆର ରୋଡ଼ ପଟୁ ନୂଆପଡ଼ା ଅଭିମୁଖେ ଆସୁଥିଲେ। ଏହି ସମୟରେ ନୂଆପଡ଼ା ପଟୁ ଖରିଆର ରୋଡ଼ ଅଭିମୁଖେ ଯାଉଥିବା ଏକ ଓଏସଆରଟିସି ବସ୍ ଟ୍ରକ୍କୁ ଓଭରଟେକ୍ କରୁଥିବା ବେଳେ ବାଇକ୍କୁ ଧକ୍କା ଦେଇଥିବା ଜଣାପଡ଼ିଛି।
ବସ୍ ଧକ୍କାରେ ଥାନୁରାମ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଗୁରୁତର ଆହତ ରେଖୁରାମଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଜୋଙ୍କ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପରିବାରକୁ ଯଥୋଚିତ ଆର୍ଥିକ ସହାୟତା ପ୍ରଦାନ ସହ ଘଟଣାର ତଦନ୍ତ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
