ଚାରମାଳ, (ଓଡ଼ିଶ୍ରୀ ସମ୍ବାଦ): ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ମୋଚିବାହାଲ ପଞ୍ଚାୟତର ସାଇବେର୍ଣ୍ଣି ଗ୍ରାମର ପ୍ରସିଦ୍ଧ ଲେଫ୍ରୀଖଣ୍ଡି ମନ୍ଦିର ପରିସରରେ ପାନୀୟ ଜଳ ସମସ୍ୟା ଦେଖାଦେଇଥିବାରୁ ନୂତନ ବୋରିଂ ନିର୍ମାଣ ପାଇଁ ସ୍ଥାନୀୟ ବାସିନ୍ଦା ଓ ଶ୍ରଦ୍ଧାଳୁମାନେ ଦାବି କରିଛନ୍ତି।
ସୂଚନା ଅନୁଯାୟୀ, ମନ୍ଦିରକୁ ପ୍ରତିଦିନ ଶତାଧିକ ଶ୍ରଦ୍ଧାଳୁ ଆସୁଥିବା ବେଳେ ପରିସରରେ ପର୍ଯ୍ୟାପ୍ତ ସ୍ୱଚ୍ଛ ପାନୀୟ ଜଳର ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଛି। ବିଶେଷକରି ପର୍ବପର୍ବାଣୀ ଓ ଗ୍ରୀଷ୍ମ ଋତୁରେ ଜଳ ସମସ୍ୟା ଅଧିକ ଗୁରୁତର ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି।
ମନ୍ଦିର ପରିସରରେ ଦୁଇଟି ନଳକୂପ ଥିଲେ ମଧ୍ୟ ସେଥିରୁ ମିଳୁଥିବା ପାଣି ପାନୀୟ ଉପଯୋଗୀ ନୁହେଁ ବୋଲି ଅଭିଯୋଗ ରହିଛି। ମନ୍ଦିରର ପୂଜାପାଠ, ରୀତିନୀତି, ରୋଷେଇ ଓ ଶ୍ରଦ୍ଧାଳୁଙ୍କ ପାଇଁ ମଧ୍ୟ ପାଣିର ଆବଶ୍ୟକତା ରହୁଥିବାରୁ ସମସ୍ୟା ଦେଖାଦେଉଛି।
ସ୍ଥାନୀୟ ବୁଦ୍ଧିଜୀବୀ ଓ ଗ୍ରାମବାସୀଙ୍କ କହିବାନୁଯାୟୀ, ଏନେଇ ପୂର୍ବରୁ ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ଥାୟୀ ପଦକ୍ଷେପ ନିଆଯାଇନାହିଁ। ମନ୍ଦିର ପରିସରରେ ଏକ ହାଇଫୋର୍ସ ବୋରିଂ ସହ ଓଭରହେଡ୍ ଟାଙ୍କି ଏବଂ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ସ୍ଥାପନ କରାଗଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେମାନେ କହିଛନ୍ତି।
ଆଗାମୀ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଶୀଘ୍ର ଜଳ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ପଦକ୍ଷେପ ନେବାକୁ ମନ୍ଦିର ପୂଜକ ସତ୍ୟନାରାୟଣ ଥନାପତି ଓ ମନ୍ଦିର କମିଟି ସଦସ୍ୟମାନେ ଦାବି କରିଛନ୍ତି।
