• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ତ୍ରିଶିକାଙ୍କ ଚିକିତ୍ସା ପାଇଁ ଧର୍ମଶାଳା ବିଜେପି ଯୁବମୋର୍ଚ୍ଚାର ଅର୍ଥ ସଂଗ୍ରହ

Byodishri Live

Oct 9, 2026

ଧର୍ମଶାଳା: ଦୁରାରୋଗ୍ୟରେ ପୀଡ଼ିତ ୧୬ ମାସର ଶିଶୁକନ୍ୟା ତ୍ରିଶିକାଙ୍କ ଚିକିତ୍ସା ପାଇଁ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ପରାମର୍ଶକ୍ରମେ ଧର୍ମଶାଳା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଜାରକା ବଜାରରେ ଅର୍ଥ ସଂଗ୍ରହ କରାଯାଇଛି। ଏହି ଅଭିଯାନରେ ବିଧାୟକଙ୍କ ସମେତ ଯୁବମୋର୍ଚ୍ଚାର ସଦସ୍ୟ, କଲେଜ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ ସାମିଲ ହୋଇଥିଲେ। ଆୟୋଜକଙ୍କ ସୂଚନା ଅନୁଯାୟୀ, ଅଭିଯାନରେ ଅନଲାଇନ୍‌ ଓ ଅଫଲାଇନ୍‌ ମାଧ୍ୟମରେ ମୋଟ ୪୨ ଲକ୍ଷ ୪୯ ହଜାର ୩୮୫ ଟଙ୍କା ସଂଗ୍ରହ ହୋଇଛି।

ସକାଳେ ଯୁବମୋର୍ଚ୍ଚାର ସଦସ୍ୟମାନେ ଜାରକା ଫ୍ଲାଏଓଭର ବ୍ରିଜ୍‌ ତଳେ ଏକାଠି ହୋଇ ବ୍ୟାନର ଧରି ଅର୍ଥ ସଂଗ୍ରହ ଅଭିଯାନ ଆରମ୍ଭ କରିଥିଲେ। ପରେ ଜାରକା ବଜାରର ବିଭିନ୍ନ ଦୋକାନକୁ ଯାଇ ଦୋକାନୀଙ୍କ ଇଚ୍ଛାନୁଯାୟୀ ଆର୍ଥିକ ସହାୟତା ସଂଗ୍ରହ କରିଥିଲେ। ଏଥିସହ ଜାରକା ଛକ ଦେଇ ଯାଉଥିବା ଗାଡ଼ିମାଲିକ ଓ ଚାଳକମାନଙ୍କୁ ତ୍ରିଶିକାଙ୍କ ଚିକିତ୍ସା ସମ୍ପର୍କରେ ଅବଗତ କରାଇ ସହଯୋଗ ଲୋଡ଼ିଥିଲେ। ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନେ ମଧ୍ୟ ଏହି ମାନବିକ ଅଭିଯାନରେ ସାମିଲ ହୋଇଥିଲେ।

ସୂଚନା ଅନୁଯାୟୀ, ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରମାପୁର ଗ୍ରାମର ମୁକେଶ ରାୟଙ୍କ ୧୬ ମାସର ଝିଅ ତ୍ରିଶିକା ସ୍ପାଇନାଲ୍‌ ମସ୍କୁଲାର୍‌ ଆଟ୍ରୋଫି (SMA) ଟାଇପ୍‌-୨ ରୋଗରେ ପୀଡ଼ିତ। ତାଙ୍କ ଚିକିତ୍ସା ପାଇଁ ପ୍ରାୟ ୧୬ କୋଟି ଟଙ୍କା ଆବଶ୍ୟକ ଥିବା ପରିବାର ପକ୍ଷରୁ କୁହାଯାଇଛି। ଏନେଇ ତ୍ରିଶିକାଙ୍କ ବାପା ଓ ମାଆ ଝିଅକୁ ଧରି ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଭେଟିଥିଲେ।

ବିଧାୟକ ଶ୍ରୀ ସାହୁ ନିଜ ଦରମାରୁ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବା ସହ ତ୍ରିଶିକାଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରିବାକୁ ସୋସିଆଲ୍‌ ମିଡିଆରେ ଭିଡିଓ ବାର୍ତ୍ତା ମାଧ୍ୟମରେ ଓଡ଼ିଶାବାସୀଙ୍କୁ ଅନୁରୋଧ କରିଥିଲେ। ଏଥିସହ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ମଧ୍ୟ ଅନୁରୋଧ କରିଥିବା ଜଣାପଡ଼ିଛି।

ଆୟୋଜକଙ୍କ ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ପ୍ରାୟ ୮ କୋଟି ଟଙ୍କା ସଂଗ୍ରହ ହୋଇଥିବା ବେଳେ ଚିକିତ୍ସା ପାଇଁ ଆହୁରି ପ୍ରାୟ ୮ କୋଟି ଟଙ୍କା ଆବଶ୍ୟକ ରହିଛି। ଏହି ପରିସ୍ଥିତିରେ ସାଧାରଣ ଲୋକଙ୍କଠାରୁ ସହାୟତା ସଂଗ୍ରହ କରିବାକୁ ବିଧାୟକ ଯୁବମୋର୍ଚ୍ଚା ସଦସ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। ଅର୍ଥ ସଂଗ୍ରହ କାର୍ଯ୍ୟକ୍ରମ ସମୟରେ ତ୍ରିଶିକା ତାଙ୍କ ବାପାମାଆଙ୍କ ସହ ଜାରକା ଛକରେ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମକୁ ଅରୁହା ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ବିଶ୍ୱଜିତ ପୃଷ୍ଟି, ଜାରକା ମଣ୍ଡଳ ଯୁବ ସଭାପତି ଅଭିଜିତ ବେହେରା, କୋତପୁର ମଣ୍ଡଳ ଯୁବ ସଭାପତି ଦିବ୍ୟଜ୍ୟୋତି ପରିଡ଼ା, କବାଟବନ୍ଧ ମଣ୍ଡଳ ଯୁବ ସଭାପତି ଘନଶ୍ୟାମ ପାତ୍ର, ଜେନାପୁର ମଣ୍ଡଳ ଯୁବ ସଭାପତି କପିଳେନ୍ଦ୍ର ବେହେରା ଓ ବାରବାଟୀ ମଣ୍ଡଳ ଯୁବ ସଭାପତି ରୁଦ୍ରପ୍ରତାପ ବେହେରାଙ୍କ ସମେତ ଯୁବ ସଂଗଠକ ରାଜେଶ ପାଳ, ଜିତେନ୍ଦ୍ର ରାଉତ, ଅଭିଷେକ ରାଉତ, ଉପେନ୍ଦ୍ର କର ଓ ଆଲୋକ ଲେଙ୍କା ପରିଚାଳନା କରିଥିଲେ। ତ୍ରିଶିକାଙ୍କ ଚିକିତ୍ସା ପାଇଁ ଏଭଳି ସାମୂହିକ ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *