ଧାମରା (ଓଡ଼ିଶ୍ରୀ ସମ୍ବାଦ, ସୂର୍ଯ୍ୟକାନ୍ତ ମହାଳିକ): ଭଦ୍ରକ ଜିଲ୍ଲାର ଧାମରା ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟସେବାକୁ ସୁଗମ କରିବା ଲକ୍ଷ୍ୟରେ ଧାମରାଇ ଟ୍ରକ୍ ଓ ଟିପ୍ପର ଆସୋସିଏସନ ପକ୍ଷରୁ ଏକ ଜନହିତକର ପଦକ୍ଷେପ ଗ୍ରହଣ କରାଯାଇଛି। ଆସୋସିଏସନ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଆୟୋଜନ ସହ ଅଞ୍ଚଳବାସୀଙ୍କ ପାଇଁ ନିଶୁଳ୍କ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଭଦ୍ରକ ଉପଜିଲ୍ଲାପାଳ ଶ୍ରୀ ସୌରଭ ଚକ୍ରବର୍ତ୍ତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଶୁଳ୍କ ଆମ୍ବୁଲାନ୍ସ ସେବାର ଉଦ୍ଘାଟନ କରିଥିଲେ।
ଆସୋସିଏସନର ସଭାପତି ଶ୍ରୀ ଦିଗମ୍ବର ଦାସଙ୍କ ସୂଚନା ଅନୁଯାୟୀ, ଏହି ଆମ୍ବୁଲାନ୍ସ ଧାମରା ଅଞ୍ଚଳର ରୋଗୀମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମାଗଣାରେ ପହଞ୍ଚାଇବ। ଏହାଦ୍ୱାରା ଜରୁରୀ ସମୟରେ ରୋଗୀମାନେ ଚିକିତ୍ସାଳୟରେ ପହଞ୍ଚିବାରେ ସହାୟତା ପାଇପାରିବେ।
ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟସେବା ପାଇଁ ଆସୋସିଏସନର ଏହି ଜନହିତକର ପଦକ୍ଷେପକୁ ଉପଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ଏବଂ ସ୍ଥାନୀୟ ବୁଦ୍ଧିଜୀବୀମାନେ ପ୍ରଶଂସା କରିଥିଲେ। ଏହି ପଦକ୍ଷେପ ଧାମରା ଅଞ୍ଚଳର ଲୋକଙ୍କ ପାଇଁ ଜରୁରୀ ସ୍ୱାସ୍ଥ୍ୟସେବାକୁ ଅଧିକ ସହଜ କରିବ ବୋଲି ଆଶା ପ୍ରକାଶ ପାଇଛି।
