ହାଇଟେକ୍ ମେଡିକାଲ କଲେଜର ସହଯୋଗରେ ଶିବିର ଆୟୋଜିତ; ମୋରଡ଼ା ଆଞ୍ଚଳିକ ହସ୍ପିଟାଲକୁ ସିଏଚ୍ସିରେ ପରିଣତ କରିବାକୁ ମନ୍ତ୍ରୀଙ୍କ ପ୍ରତିଶ୍ରୁତି
ମୋରଡ଼ା, (ଓଡ଼ିଶ୍ରୀ ସମ୍ବାଦ): ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା ଆଞ୍ଚଳିକ ହସ୍ପିଟାଲ ପରିସରରେ ୨୫ ବର୍ଷର ସେବା ସଂକଳ୍ପ ଅବସରରେ ଏକ ମେଗା ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ ହୋଇଛି। ହାଇଟେକ୍ ମେଡିକାଲ କଲେଜ ଓ ରାଜ୍ୟର ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ମିଳିତ ସହଯୋଗରେ ଆୟୋଜିତ ଏହି ଶିବିରରେ ହାଇଟେକ୍ ହସ୍ପିଟାଲର ଅଭିଜ୍ଞ ଡାକ୍ତରମାନେ ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ କରିଥିଲେ।
ମୋରଡ଼ା ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳରେ ଅବସ୍ଥିତ ହୋଇଥିବାରୁ ଏଠାକାର ଆଞ୍ଚଳିକ ହସ୍ପିଟାଲ ଉପରେ ହଜାର ହଜାର ଲୋକ ନିର୍ଭର କରନ୍ତି। ଅଞ୍ଚଳରେ ଅନେକ ଆଦିବାସୀ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାର ବସବାସ କରୁଥିବାରୁ ଉନ୍ନତ ଚିକିତ୍ସା ପାଇଁ କଟକ କିମ୍ବା ଭୁବନେଶ୍ୱର ଯିବା ସମସ୍ତଙ୍କ ପାଇଁ ସମ୍ଭବ ହୋଇପାରେ ନାହିଁ। ଏଭଳି ପରିସ୍ଥିତିରେ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଅଞ୍ଚଳବାସୀଙ୍କୁ ଚିକିତ୍ସା ଓ ସ୍ୱାସ୍ଥ୍ୟ ପରୀକ୍ଷାର ସୁଯୋଗ ଯୋଗାଇ ଦେଇଛି।
ଅନ୍ୟପକ୍ଷରେ, ମୋରଡ଼ା ଆଞ୍ଚଳିକ ହସ୍ପିଟାଲରେ ଡେପୁଟେସନରେ ଥିବା ଦୁଇଜଣ ଡାକ୍ତର ଦିନରେ ପ୍ରାୟ ଆଠ ଘଣ୍ଟା ସେବା ଯୋଗାଉଥିବାରୁ ଅନ୍ୟ ସମୟରେ ରୋଗୀମାନେ ବାରିପଦା ଓ ବାରମାଇଲ ହସ୍ପିଟାଲ ଉପରେ ନିର୍ଭର କରୁଥିବା ଅଭିଯୋଗ ହୋଇଛି। ହସ୍ପିଟାଲକୁ ସାମୁଦାୟିକ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚ୍ସି)ରେ ପରିଣତ କରି ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଅଞ୍ଚଳବାସୀ ବିଭିନ୍ନ ସମୟରେ ଦାବି କରିଆସୁଛନ୍ତି।
ଶିବିର ଅବସରରେ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଓ ହାଇଟେକ୍ ମେଡିକାଲ କଲେଜର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀଙ୍କ ସମେତ ମୟୂରଭଞ୍ଜ ସିଡିଏମ୍ ଆଞ୍ଚଳିକ ହସ୍ପିଟାଲର ନବନିର୍ମିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଗୃହକୁ ଉଦ୍ଘାଟନ କରିଥିଲେ। ମନ୍ତ୍ରୀ ନିଜେ ପ୍ରଥମେ ରକ୍ତ ନମୁନା ପରୀକ୍ଷା ପାଇଁ ଦେଇ ଉପସ୍ଥିତ ଲୋକଙ୍କୁ ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ଉତ୍ସାହିତ କରିଥିଲେ।
ହାଇଟେକ୍ ମେଡିକାଲ କଲେଜର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ କହିଥିଲେ ଯେ ମୋରଡ଼ାରେ ସେବା କରିବାର ସୁଯୋଗ ମିଳିବା ତାଙ୍କ ପାଇଁ ଭଗବାନ ଜଗନ୍ନାଥଙ୍କ ଆଶୀର୍ବାଦ ସଦୃଶ। ଏହି ଶିବିରରେ ଥାଇରଏଡ୍ ଗ୍ରନ୍ଥି ଓ ହୃଦ୍ରୋଗ ସମ୍ପର୍କିତ ସମସ୍ୟା ଥିବା ରୋଗୀଙ୍କୁ ଚିହ୍ନଟ କରି ନିଃଶୁଳ୍କ ଚିକିତ୍ସା ଯୋଗାଇବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ସେ କହିଥିଲେ।
ମନ୍ତ୍ରୀ ଡଃ ମହାପାତ୍ର କହିଥିଲେ ଯେ ମୋରଡ଼ାବାସୀ ତାଙ୍କୁ ସେବା କରିବାର ସୁଯୋଗ ଦେଇଛନ୍ତି। ମୋରଡ଼ା ଆଞ୍ଚଳିକ ହସ୍ପିଟାଲକୁ ସିଏଚ୍ସିରେ ପରିଣତ କରି ଅଞ୍ଚଳବାସୀଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ସେ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ ବାରମାଇଲ ସିଏଚ୍ସିର ଅଧୀକ୍ଷକ ଡଃ ଦୀପକ କୁମାର ନାୟକ, ମୋରଡ଼ା ଆଞ୍ଚଳିକ ହସ୍ପିଟାଲର ଡାକ୍ତର ସୁମନ ଚୌଧୁରୀ, ଡାକ୍ତର ସଙ୍ଗୀତା ସ୍ୱାଇଁ, ଫାର୍ମାସି ଅଫିସର ହିମାଂଶୁ ଶେଖର ଦଳେଇଙ୍କ ସମେତ ହସ୍ପିଟାଲର କର୍ମଚାରୀମାନେ ସହଯୋଗ କରିଥିଲେ। ଦୂରଦୂରାନ୍ତରୁ ଆସିଥିବା ରୋଗୀମାନେ ଏହି ଶିବିରରେ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ସେବା ପାଇଥିଲେ। ଏଭଳି ଶିବିର ପ୍ରତି ମାସରେ ଆୟୋଜନ କରିବାକୁ ଅଞ୍ଚଳବାସୀ ଦାବି ଜଣାଇଛନ୍ତି।
