• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଛାତ୍ର ସଂସଦ ନିର୍ବାଚନରେ ଅନିୟମିତତା ଅଭିଯୋଗ, ରାଜକନିକା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

Byodishri Live

Oct 16, 2026

ରାଜକନିକା (ଓଡ଼ିଶ୍ରୀ ସମ୍ବାଦ): ଛାତ୍ର ସଂସଦ ନିର୍ବାଚନକୁ ନେଇ ଏସ୍‌.ଏନ୍‌. କଲେଜରେ ଉପୁଜିଥିବା ବିବାଦକୁ ନେଇ ରାଜକନିକା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି। ନିର୍ବାଚନରେ ପକ୍ଷପାତିତା ଓ ଅନିୟମିତତା ହୋଇଥିବା ଅଭିଯୋଗ କରି କଲେଜ ଅଧ୍ୟକ୍ଷ ଏବଂ ସ୍ଥାନୀୟ ତହସିଲଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ।

କଂଗ୍ରେସର ଅଭିଯୋଗ ଅନୁଯାୟୀ, ଗତକାଲି ଶେଷ ହୋଇଥିବା ଛାତ୍ର ସଂସଦ ନିର୍ବାଚନ ସମୟରେ ଏସ୍‌.ଏନ୍‌. କଲେଜ ଅଧ୍ୟକ୍ଷ ଓ ସ୍ଥାନୀୟ ତହସିଲଦାର ପକ୍ଷପାତିତା କରିଥିଲେ। ଏହା ସହ ଛାତ୍ରଛାତ୍ରୀଙ୍କ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ନଦେଇ ସେମାନଙ୍କ କ୍ୟାରିୟର ନଷ୍ଟ କରିଦେବାକୁ ଧମକ ଦିଆଯାଇଥିବା ଦଳ ପକ୍ଷରୁ ଅଭିଯୋଗ ହୋଇଛି। ଏହା ପରେ କଲେଜ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିବା କୁହାଯାଇଛି।

ସନ୍ଧ୍ୟା ସମୟରେ ସରକାରୀ ଦଳର ପ୍ରଭାବରେ ବିଦ୍ୟୁତ୍‌ ସଂଯୋଗ କାଟି ଦିଆଯାଇଥିବାରୁ ନିର୍ବାଚନ ଫଳାଫଳ ପ୍ରଭାବିତ ହୋଇଥିବା ମଧ୍ୟ କଂଗ୍ରେସ ଅଭିଯୋଗ କରିଛି। ଏହି ଘଟଣାରେ ତହସିଲଦାରଙ୍କୁ ତୁରନ୍ତ ନିଲମ୍ବନ କରିବା ସହ କଲେଜ ଅଧ୍ୟକ୍ଷଙ୍କ ବିରୋଧରେ ବିଭାଗୀୟ ତଦନ୍ତ କରି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

ଅନ୍ୟପକ୍ଷରେ, ଗତକାଲି ରାତିରେ କଲେଜ କ୍ୟାମ୍ପସ ଭିତରକୁ ବୋମାମାଡ଼ ହୋଇଥିବା ଏବଂ ଏଥିରେ ସ୍ଥାନୀୟ ଗଞ୍ଜା ଗ୍ରାମର ଜଣେ ଯୁବକଙ୍କ ହାତ ପୋଡ଼ିଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ମେଡିକାଲକୁ ରେଫର କରାଯାଇଥିବା ଜଣାପଡ଼ିଛି।

କଲେଜରେ ଲିଙ୍ଗଡୋ କମିଶନଙ୍କ ନିୟମ ଏବଂ ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ହୋଇଥିବା ଅଭିଯୋଗ କରି କଂଗ୍ରେସ ଏହାକୁ ନିନ୍ଦା କରିଛି। ଆଇନ ଅନୁଯାୟୀ ତୁରନ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଦଳ ଦାବି କରିଛି। ଆଗାମୀ ଦିନରେ କଂଗ୍ରେସ ଓ ଛାତ୍ର କଂଗ୍ରେସର ପ୍ରତିନିଧିମାନେ ଜିଲ୍ଲାପାଳଙ୍କୁ ଭେଟି ଏହି ଘଟଣାର ଅଭିଯୋଗ ଜଣାଇବେ ବୋଲି କହିଛନ୍ତି।

ସୂଚନା ଅନୁଯାୟୀ, ଜଣେ ଯୁକ୍ତ ଦୁଇ ଛାତ୍ର ଅନ୍ୟ ଜଣଙ୍କ କଲେଜ ୟୁନିଫର୍ମ ପିନ୍ଧି ଭୋଟ୍‌ ଦେବାକୁ ଯିବା ଘଟଣାରୁ ଏହି ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିବା କୁହାଯାଉଛି। ସମଗ୍ର ରାଜକନିକା ଅଞ୍ଚଳରେ ଏହି ଘଟଣାକୁ ନେଇ ରାଜନୈତିକ ଛକାପଞ୍ଝା ଜାରି ରହିଛି।

ସାମ୍ବାଦିକ ସମ୍ମିଳନୀରେ ବ୍ଲକ କଂଗ୍ରେସ ସଭାପତି ପଙ୍କଜ ଦାସ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଦିବ୍ୟରଞ୍ଜନ ରାଉତ, ଅଭିରାମ ବିଶ୍ୱାଳ, କୃତିବାସ ନାୟକ, ବାବୁରାମ ଜେନା ଓ ଖିରୋଦ ରାଉତଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *