• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଯାଜପୁର ଶିଳ୍ପ ବିକାଶରେ ନୂଆ ଅଧ୍ୟାୟ, ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ

Byodishri Live

Oct 16, 2026

ଧର୍ମଶାଳା (ଓଡ଼ିଶ୍ରୀ ସମ୍ବାଦ): ଯାଜପୁର ଜିଲ୍ଲାର ଶିଳ୍ପ ବିକାଶକୁ ଆଗକୁ ନେବା ଲକ୍ଷ୍ୟରେ ବିଭିନ୍ନ ଶିଳ୍ପ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ସୁକିନ୍ଦା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଦାନଗଦି ବ୍ଲକର ତେଲିବାହାଳି ମହାପାଟ ପଡ଼ିଆଠାରେ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପ୍ରକଳ୍ପଗୁଡ଼ିକର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ଯାଜପୁର ସାଂସଦ ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରା, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, କୋରେଇ ବିଧାୟକ ଆକାଶ ଦାସନାୟକ, ବଡ଼ଚଣା ବିଧାୟକ ଅମର ନାୟକ ଏବଂ ଯାଜପୁର ଜିଲ୍ଲା ବିଜେପି ସଭାନେତ୍ରୀ ଦେବଜାନୀ ପ୍ରଧାନଙ୍କ ସମେତ ବହୁ ଜନପ୍ରତିନିଧି ଓ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

ଯାଜପୁର ଜିଲ୍ଲାରେ ପ୍ରାକୃତିକ ସମ୍ପଦ ଓ ଶିଳ୍ପ ପ୍ରତିଷ୍ଠାର ବ୍ୟାପକ ସମ୍ଭାବନା ରହିଛି। ଦାନଗଦି, ସୁକିନ୍ଦା ଓ କଳିଙ୍ଗନଗର ଭଳି ଶିଳ୍ପାଞ୍ଚଳରେ ନୂତନ ପୁଞ୍ଜିନିବେଶ ଦ୍ୱାରା ଶିଳ୍ପ ଭିତ୍ତିଭୂମିର ସମ୍ପ୍ରସାରଣ ସହ ସ୍ଥାନୀୟ ଅର୍ଥନୀତିକୁ ଗତି ମିଳିବାର ଆଶା ରହିଛି।

ନୂତନ ଶିଳ୍ପ ପ୍ରତିଷ୍ଠା ଫଳରେ ସ୍ଥାନୀୟ ଯୁବକଯୁବତୀଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ପରିବହନ, ବାଣିଜ୍ୟ ଓ ସେବା କ୍ଷେତ୍ରରେ ମଧ୍ୟ ନୂତନ ସମ୍ଭାବନା ସୃଷ୍ଟି ହୋଇପାରିବ। ଶିଳ୍ପାୟନ ସହ ଭିତ୍ତିଭୂମିର ଉନ୍ନତି ଓ ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବା ଏହି ପଦକ୍ଷେପର ପ୍ରମୁଖ ଲକ୍ଷ୍ୟ ବୋଲି ଆଶା ପ୍ରକାଶ ପାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକଶିତ ଭାରତ’ ପରିକଳ୍ପନା ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟର ଶିଳ୍ପାୟନକୁ ଆଗକୁ ନେବା ଦିଗରେ ଏହି ପ୍ରକଳ୍ପଗୁଡ଼ିକ ଗୁରୁତ୍ୱ ବହନ କରୁଛି। ଯାଜପୁରର ଶିଳ୍ପ ବିକାଶ ଆଗାମୀ ଦିନରେ ଅଞ୍ଚଳର ସାମାଜିକ ଓ ଆର୍ଥିକ ପ୍ରଗତିରେ ସହାୟକ ହେବ ବୋଲି ଆଶା କରାଯାଉଛି।

‘ବିକଶିତ ଯାଜପୁର, ସମୃଦ୍ଧ ଓଡ଼ିଶା ଓ ଆତ୍ମନିର୍ଭର ଭାରତ’ ଗଠନ ଦିଗରେ ଏହି ଶିଳ୍ପ ପ୍ରକଳ୍ପଗୁଡ଼ିକ ଏକ ନୂତନ ପଦକ୍ଷେପ ଭାବେ ବିବେଚିତ ହେଉଛି।

Spread the love

Leave a Reply

Your email address will not be published. Required fields are marked *