କନ୍ଧମାଳ (ଓଡ଼ିଶ୍ରୀ ସମ୍ବାଦ): ଫୁଲବାଣୀ ନିକଟସ୍ଥ ବଳସକୁମ୍ପା ଗ୍ରାମର ମା’ ବରାଳ ଦେବୀ ମନ୍ଦିର ପରିସରରେ ଚାଲିଥିବା ଯାତ୍ରା ଅବସରରେ ଦ୍ୱିତୀୟ ଦିନରେ ରଙ୍ଗାରଙ୍ଗ ସାଂସ୍କୃତିକ ସନ୍ଧ୍ୟା ଆୟୋଜିତ ହୋଇଥିଲା। ସମ୍ବଲପୁରୀ ନୃତ୍ୟ ଓ ମେଲୋଡି କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିଥିବା ବେଳେ ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା, ପୂର୍ବତନ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବିଷ୍ଣୁପ୍ରିୟା ଦେହେରା ଏବଂ ଖରାପଡ଼ା ବ୍ଲକର ବରିଷ୍ଠ ବିଜେଡି ନେତା ତଥା ଜିଲ୍ଲା ସମିତିସଭ୍ୟ ଓ ସଭ୍ୟାଙ୍କ ସଭାପତି ବୈଦ୍ୟନାଥ ଦେହେରାଙ୍କ ସମେତ ବିଜେଡିର ବିଭିନ୍ନ କର୍ମକର୍ତ୍ତା ଓ ଛାତ୍ର ନେତା ନୀଳକୁମାର ସେଠୀ ଯୋଗଦେଇଥିଲେ।
ଅତିଥିମାନେ ନିଜ ଅଭିଭାଷଣରେ ଯାତ୍ରାର ଧାର୍ମିକ ଓ ସାଂସ୍କୃତିକ ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ମା’ ବରାଳ ଦେବୀ ଯାତ୍ରା କମିଟିର ସଭାପତି ବୀରେନ୍ଦ୍ର କୁମାର କହଁର ଅତିଥିମାନଙ୍କୁ ଉପଢ଼ୌକନ ପ୍ରଦାନ କରି ସମ୍ମାନିତ କରିଥିଲେ।
ସଭା ଶେଷରେ ଯାତ୍ରା ପରିଚାଳନା କମିଟିର ସମ୍ପାଦକ ତଥା ଯୁବ ବିଜେଡି ନେତା ଧନ୍ୟବାଦ ଅର୍ପଣ କରିଥିଲେ। ପରେ ମେଲୋଡି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଦର୍ଶକମାନେ ଶୃଙ୍ଖଳିତ ଭାବେ ସାଂସ୍କୃତିକ କାର୍ଯ୍ୟକ୍ରମର ଆନନ୍ଦ ନେଇଥିବା ବେଳେ ଆୟୋଜକଙ୍କ ପକ୍ଷରୁ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବାକୁ ଅନୁରୋଧ କରାଯାଇଥିଲା।
ଯାତ୍ରା ପରିଚାଳନା କମିଟିର ସଦସ୍ୟମାନେ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ।
