• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ହତ୍ୟା ଅଭିଯୋଗ, ୧୦ ଦିନ ପରେ ଅର୍ଦ୍ଧଦଗ୍ଧ କଙ୍କାଳ ଉଦ୍ଧାର

Byodishri Live

Oct 22, 2026

ଜଳେଶ୍ୱରରେ ଚାଞ୍ଚଲ୍ୟ, ଜଣେ ଅଭିଯୁକ୍ତ ଗିରଫ; ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ତଦନ୍ତ

ଜଳେଶ୍ୱର, (ଓଡ଼ିଶ୍ରୀ ସମ୍ବାଦ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଘରୁ ଡାକି ନେବା ପରେ ଗଣଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ନିଖୋଜ ହେବାର କିଛି ଦିନ ପରେ ଏକ ନିଛାଟିଆ ସ୍ଥାନରୁ ଅର୍ଦ୍ଧଦଗ୍ଧ କଙ୍କାଳ ଉଦ୍ଧାର କରିଛି ପୁଲିସ। ଏହି ଘଟଣାରେ କାହ୍ନୁ ଜେନା ନାମକ ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଥିବାବେଳେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି।

ସୂଚନା ଅନୁଯାୟୀ, ପଶ୍ଚିମବାଡ଼ ଗ୍ରାମର ଅରୁଣ ଜେନାଙ୍କ ୧୫ ବର୍ଷୀୟା ଝିଅ ଦେବକୁମାର ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଥିଲେ। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଗତ ଶୁକ୍ରବାର କାହ୍ନୁ ଜେନା ତାଙ୍କ ସମ୍ପର୍କୀୟ ଭଉଣୀ ଡାକୁଥିବା କହି ଛାତ୍ରୀଙ୍କୁ ଘରୁ ଡାକି ନେଇଥିଲେ। ହେଲେ ସେ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିବା ସହ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ପରିବାରର ଅଭିଯୋଗ ଅନୁସାରେ, ପୂର୍ବରୁ ପୁଲିସ କାହ୍ନୁ ଜେନାଙ୍କୁ ପଚରାଉଚରା କରି ଛାଡ଼ି ଦେଇଥିଲା। ପରେ ତାଙ୍କୁ ପୁଣି ଥାନାକୁ ଡାକି ପଚରାଉଚରା କରିବା ପରେ ସେ ପୁଲିସକୁ ଘଟଣାସ୍ଥଳକୁ ନେଇଥିବା ଖବର ମିଳିଛି। ବର୍ତ୍ତନା ପଞ୍ଚାୟତର ଶୋଳଷଣ୍ଢା ନିକଟ ଏକ ନିଛାଟିଆ ବଣୁଆ ସ୍ଥାନରୁ ପୁଲିସ ଅର୍ଦ୍ଧଦଗ୍ଧ କଙ୍କାଳ ଜବତ କରିଛି।

ପୁଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ, ଛାତ୍ରୀଙ୍କ ସହ ଅନ୍ୟ କେତେକ ବ୍ୟକ୍ତି ମଧ୍ୟ ଏହି ଅପରାଧରେ ସମ୍ପୃକ୍ତ ଥିବା ଅଭିଯୋଗ ରହିଛି। ଛାତ୍ରୀଙ୍କୁ ହତ୍ୟା କରିବା ପରେ ପେଟ୍ରୋଲ ଢାଳି ଜାଳି ଦିଆଯାଇଥିବା ନେଇ ଅଭିଯୁକ୍ତ ସୂଚନା ଦେଇଥିବା କୁହାଯାଉଛି। ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି, ସେନେଇ ପୁଲିସ ଛାନଭିନ୍ ଜାରି ରଖିଛି। ସମସ୍ତ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଜଳେଶ୍ୱର ଥାନା ଆଇଆଇସି ଅଶୋକ ବାରିକ କହିଛନ୍ତି।

ଅନ୍ୟପଟେ ଘଟଣାକୁ ନେଇ ପରିବାର ଲୋକେ ପୁଲିସର କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି। ପୁଲିସର ନିଷ୍କ୍ରିୟତା ଅଭିଯୋଗ କରି ପରିବାର ସଦସ୍ୟ ଓ ଗ୍ରାମବାସୀ ଜଳେଶ୍ୱର-ପଶ୍ଚିମବାଡ଼ ରାସ୍ତାର ବଡ଼ନଗର ଛକରେ ରାସ୍ତା ଅବରୋଧ କରିଥିଲେ। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କଠୋର ଦଣ୍ଡ ଦେବା ସହ ପୁଲିସର ଭୂମିକାର ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି।

ମୃତ ଛାତ୍ରୀ ନାଚ, ଗୀତ ଓ ପାଠପଢ଼ାରେ ଦକ୍ଷ ଥିଲେ ବୋଲି ତାଙ୍କ ସ୍କୁଲର ଶିକ୍ଷକ କହିଛନ୍ତି। ଏହି ଘଟଣା ଅଞ୍ଚଳରେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି। ଘଟଣାର ସମସ୍ତ ଦିଗକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି।

Spread the love

Leave a Reply

Your email address will not be published. Required fields are marked *