ଭୁବନେଶ୍ୱର (ଓଡ଼ିଶ୍ରୀ ସମ୍ବାଦ): ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ଏହି ପବିତ୍ର ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି ସମଗ୍ର ପଶ୍ଚିମ ଓଡ଼ିଶା। ସୁନ୍ଦରଗଡ଼ରୁ ସମ୍ବଲପୁର, ବଲାଙ୍ଗିରରୁ ବରଗଡ଼ ଏବଂ କଳାହାଣ୍ଡିରୁ ଦେବଗଡ଼—ସବୁଠି ଦେଖିବାକୁ ମିଳୁଛି ଉତ୍ସବର ମାହୋଲ।
ଘଣ୍ଟଘଣ୍ଟା, ପଞ୍ଚବାଦ୍ୟ ଓ ପାରମ୍ପରିକ ବାଦ୍ୟର ଧ୍ୱନିରେ ଗାଁଠୁ ସହର ପର୍ଯ୍ୟନ୍ତ ପରିବେଶ ମୁଖରିତ ହୋଇଉଠିଛି। ଘରେ ଘରେ ପ୍ରସ୍ତୁତ ହୋଇଛି ବିଭିନ୍ନ ପ୍ରକାରର ପିଠାପଣା। ନୂଆ ଧାନର ଚାଉଳରୁ ପ୍ରସ୍ତୁତ ଖାଦ୍ୟର ମହକରେ ମହକୁଛି ପରିବେଶ।
ନୂଆଖାଇ ଅବସରରେ ସକାଳୁ ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ପରିବାରବର୍ଗ ଏକାଠି ନୂଆ ଖାଇବାର ପରମ୍ପରା ରହିଛି। ପୂଜାବିଧି ସମାପ୍ତ ହେବା ପରେ ପରିବାରର ମୁଖ୍ୟଙ୍କ ହାତରୁ ସମସ୍ତେ ନବାନ୍ନ ଭୋଗ ଗ୍ରହଣ କରିଥାନ୍ତି।
ନବାନ୍ନ ଭୋଗ ଗ୍ରହଣ ପରେ ପରିବାରର ସାନମାନେ ବୟସ୍କଙ୍କୁ ଭୂମିଷ୍ଠ ପ୍ରଣାମ କରି ଆଶୀର୍ବାଦ ନେଇଥାନ୍ତି। ଏହାପରେ ଆରମ୍ଭ ହୋଇଥାଏ ନୂଆଖାଇ ଭେଟଘାଟ। ବନ୍ଧୁବାନ୍ଧବ, ପରିବାର ଓ ପରିଜନଙ୍କ ମଧ୍ୟରେ ଶୁଭେଚ୍ଛା ଓ ଭାଇଚାରାର ଆଦାନପ୍ରଦାନରେ ଆହୁରି ରଙ୍ଗିନ ହୋଇଉଠେ ଏହି ପର୍ବ।
ନୂଆଖାଇ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି। ପଶ୍ଚିମ ଓଡ଼ିଶାର ଏହି ଗଣପର୍ବ ନୂଆଖାଇ ଆଜି ପୁଣିଥରେ ଏକତା, ଭାଇଚାରା ଓ ସମୃଦ୍ଧ ଲୋକପରମ୍ପରାର ବାର୍ତ୍ତା ଦେଉଛି।
