• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଧରଣୀଧର ବିଶ୍ୱବିଦ୍ୟାଳୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ ପାଳିତ

Byodishri Live

Oct 30, 2026

‘ସାଧୁତାରୁ ସମୃଦ୍ଧି’ ବାର୍ତ୍ତା ନେଇ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କୁ ସଚେତନତା

କେନ୍ଦୁଝର, (ଓଡ଼ିଶ୍ରୀ ସମ୍ବାଦ): ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଜି.ଇ.-୧ କକ୍ଷରେ ଗୁରୁବାର ଦୁର୍ନୀତି ନିବାରଣ ବିଭାଗର କେନ୍ଦୁଝର ଶାଖାର ସହଯୋଗରେ ‘ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬’ ପାଳିତ ହୋଇଯାଇଛି। ‘ସାଧୁତାରୁ ସମୃଦ୍ଧି’ ବାର୍ତ୍ତାକୁ ଆଧାର କରି ଆୟୋଜିତ ଏହି ସଚେତନତା ସଭାରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ପାତ୍ର ଅଧ୍ୟକ୍ଷତା କରିଥିଲେ।

ସଭାରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ପ୍ରଭୁ ପ୍ରସାଦ ଦାସ ନିଜ ଅଭିଭାଷଣରେ ସାଧୁତାର ମୂଲ୍ୟ ଓ ଏହାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। କୁଳସଚିବ ପ୍ରଭାତୀ ପୃଷ୍ଟି କହିଥିଲେ ଯେ ସାଧୁତା ଏକ ରାଷ୍ଟ୍ରକୁ ସୁରକ୍ଷା ଦେବା ସହ ଏହାକୁ ପ୍ରଗତି ପଥରେ ଆଗେଇ ନେବାରେ ସହାୟକ ହୋଇଥାଏ।

ଛାତ୍ର ମଙ୍ଗଳ ଅଧିକାରୀ ତଥା ସହକାରୀ ପ୍ରାଧ୍ୟାପକ ବିଜୟ କୁମାର ବେହେରା ନିଜ ଅଭିଭାଷଣରେ କହିଥିଲେ ଯେ ବିବେକର ନିର୍ଦ୍ଦେଶରେ ପରିଚାଳିତ ହୋଇ ନିଜ ଦାୟିତ୍ୱ ପ୍ରତି ଯତ୍ନବାନ ହେଲେ ଜଣେ ସଫଳ ନାଗରିକ ହୋଇପାରିବ।

ଏହି ଅବସରରେ ଦୁର୍ନୀତି ନିବାରଣ ଅଧିକାରୀ ସୁଧାଂଶୁ ଶେଖର ପୂଜାରୀ ଦୈନନ୍ଦିନ ଜୀବନରେ ଛୋଟଛୋଟ କିଣାବିକା ସମୟରେ କିପରି ଠକାମିରୁ ଦୂରେଇ ରହିବା ସହ ସଚେତନ ଭାବେ ଦୁର୍ନୀତିକୁ ବିରୋଧ କରିହେବ, ସେ ସମ୍ପର୍କରେ ମତ ରଖିଥିଲେ।

ସଭାର ଅଧ୍ୟକ୍ଷତା କରି କୁଳପତି ପ୍ରଫେସର ସଞ୍ଜୟ କୁମାର ପାତ୍ର କହିଥିଲେ ଯେ ବ୍ୟକ୍ତି ଯେତେବେଳେ ନୈତିକତା ଓ ଆଦର୍ଶବୋଧରୁ ଦୂରେଇ ଯାଏ, ସେତେବେଳେ ଦୁର୍ନୀତିର ଉତ୍ପତ୍ତି ହୋଇଥାଏ। ଏହାର ପ୍ରଭାବ ସାଧାରଣ ମଣିଷର ଜୀବନକୁ ବିପର୍ଯ୍ୟସ୍ତ କରିଥାଏ। ତେଣୁ ଦୁର୍ନୀତି ଭଳି ମାନସିକତାକୁ ଦୂର କରିବା ସହ ବ୍ୟକ୍ତିଗତ ସ୍ୱାର୍ଥ ବଦଳରେ ସାମାଜିକ ଜୀବନ ପ୍ରତି ଯତ୍ନବାନ ହେବା ଏବଂ ନିଜ ଚେତନାକୁ ଜାଗ୍ରତ କରିବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ।

ନୃତତ୍ତ୍ୱ ବିଭାଗର ଅଧ୍ୟାପିକା ଡକ୍ଟର ସରିତା ନାୟକ ସଭା ପରିଚାଳନା କରିଥିବା ବେଳେ ସହକାରୀ ପ୍ରାଧ୍ୟାପକ ଶୁକଦେବ ତିରିଆ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ।

Spread the love

Leave a Reply

Your email address will not be published. Required fields are marked *