ଜନସ୍ୱାର୍ଥମୂଳକ କାର୍ଯ୍ୟରେ ବାଧା ଓ ଅନିୟମିତତା ନେଇ ଅଭିଯୋଗ, ନିରପେକ୍ଷ ତଦନ୍ତ ଦାବି
ଭଦ୍ରକ (ଓଡ଼ିଶ୍ରୀ ସମ୍ବାଦ): ଭଦ୍ରକ ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷା ଉର୍ମିଳା ନାୟକଙ୍କୁ ନେଇ ସ୍ଥାନୀୟ ରାଜନୀତିରେ ଅସନ୍ତୋଷ ତୀବ୍ର ହୋଇଛି। ଅଧ୍ୟକ୍ଷାଙ୍କ ବିରୋଧରେ ଜନସ୍ୱାର୍ଥ ଓ ଜନକଲ୍ୟାଣମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରିବା ସହ ଅନିୟମିତତା ସମ୍ପର୍କିତ ଅଭିଯୋଗ ଆଣି ସାଧାରଣ ଜନତା ଓ କିଛି ଦଳୀୟ କର୍ମୀ ଭଦ୍ରକ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଏଥିସହ ତାଙ୍କୁ ଭାରତୀୟ ଜନତା ପାର୍ଟି (ଭାଜପା)ରୁ ବହିଷ୍କାର କରିବାକୁ ଦାବି ଉଠିଛି।
ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁଯାୟୀ, ଜନସାଧାରଣଙ୍କ ସ୍ୱାର୍ଥ ଓ ଅଞ୍ଚଳର ବିକାଶକୁ ପ୍ରାଥମିକତା ଦେବା ପରିବର୍ତ୍ତେ ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଏହାକୁ ନେଇ ସାଧାରଣ ଲୋକଙ୍କ ସମେତ କିଛି ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଅଧ୍ୟକ୍ଷାଙ୍କ ବିରୋଧରେ ଉଠିଥିବା ଅଭିଯୋଗର ନିରପେକ୍ଷ ତଦନ୍ତ କରିବା ସହ ଦଳୀୟ ସ୍ତରରେ ତୁରନ୍ତ ପଦକ୍ଷେପ ନେବାକୁ ଆନ୍ଦୋଳନକାରୀମାନେ ଦାବି କରିଛନ୍ତି।
ସୂଚନା ଅନୁଯାୟୀ, ଉର୍ମିଳା ନାୟକ ପୂର୍ବରୁ ବିଜୁ ଜନତା ଦଳ (ବିଜେଡି)ରେ ଥିବାବେଳେ ପରବର୍ତ୍ତୀ ସମୟରେ ଭାଜପାରେ ଯୋଗ ଦେଇଥିଲେ। ତେବେ ତାଙ୍କୁ ନେଇ ଉଠିଥିବା ବିଭିନ୍ନ ଅଭିଯୋଗ ଓ ଦଳୀୟ ଆଭିମୁଖ୍ୟକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।
ଏହି ଘଟଣା ପରେ ଭାଜପାର ଜିଲ୍ଲା ଓ ରାଜ୍ୟସ୍ତରୀୟ ନେତୃତ୍ୱ ଏହାକୁ କିଭଳି ଗୁରୁତ୍ୱ ଦେଉଛନ୍ତି ଏବଂ ଅଭିଯୋଗ ଉପରେ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଅନ୍ୟପକ୍ଷରେ, ଅଧ୍ୟକ୍ଷା ଉର୍ମିଳା ନାୟକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ତାଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିଲେ ତାହାକୁ ଖବରରେ ସାମିଲ କରାଯିବ।
