• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଚାରମାଳ ଅଞ୍ଚଳରେ ଉପଜିଲ୍ଲାପାଳଙ୍କ ଅଚାନକ ଗସ୍ତ

Byodishri Live

Nov 1, 2026

ବିଦ୍ୟାଳୟ ଓ ଡାକ୍ତରଖାନାର ସ୍ଥିତି ପରଖିଲେ, ସ୍ଥାନୀୟ ଲୋକଙ୍କ ସମସ୍ୟା ଶୁଣିଲେ

ରେଢ଼ାଖୋଲ, (ଓଡ଼ିଶ୍ରୀ ସମ୍ବାଦ): ଚାରମାଳ ଅଞ୍ଚଳରେ ଥିବା ବିଭିନ୍ନ ସରକାରୀ ଅନୁଷ୍ଠାନ ଓ ଜନସେବା ବ୍ୟବସ୍ଥାର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ପାଇଁ ରେଢ଼ାଖୋଲ ଉପଜିଲ୍ଲାପାଳ ପୱନ କୁମାର ଅଚାନକ ଗସ୍ତ କରିଛନ୍ତି। ଏହି ଗସ୍ତ ସମୟରେ ସେ ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ସ୍ଥିତି ସମୀକ୍ଷା କରିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଶୁଣିଥିଲେ।

ଗସ୍ତର ପ୍ରଥମ ପର୍ଯ୍ୟାୟରେ ଉପଜିଲ୍ଲାପାଳ ଚାରମାଳ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ସେଠାରେ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ମୌଳିକ ସୁବିଧାସୁଯୋଗର ଅନୁଧ୍ୟାନ କରିଥିଲେ। ବିଶେଷ କରି ଶୌଚାଳୟର ସ୍ୱଚ୍ଛତା, ପାନୀୟ ଜଳ ବ୍ୟବସ୍ଥା ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ଯାଞ୍ଚ କରିଥିଲେ। ବିଦ୍ୟାଳୟର ପରିବେଶ ଓ ମୌଳିକ ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ।

ପରେ ସେ ଚାରମାଳ ଡାକ୍ତରଖାନା ପରିଦର୍ଶନ କରି ସ୍ୱାସ୍ଥ୍ୟସେବାର ସ୍ଥିତି ସମୀକ୍ଷା କରିଥିଲେ। ରୋଗୀଙ୍କୁ ମିଳୁଥିବା ଚିକିତ୍ସା ସେବା, ଔଷଧର ଉପଲବ୍ଧତା ଓ ଡାକ୍ତରଖାନାର ପରିଚାଳନା ବ୍ୟବସ୍ଥା ସମ୍ପର୍କରେ ସେ ଅନୁଧ୍ୟାନ କରିଥିଲେ। ଏଥିସହ ଚିକିତ୍ସାଧୀନ ରୋଗୀଙ୍କ ସହ କଥା ହୋଇ ସେମାନେ ପାଉଥିବା ସେବା ଓ ସମ୍ମୁଖୀନ ହେଉଥିବା ଅସୁବିଧା ବିଷୟରେ ପଚାରି ବୁଝିଥିଲେ।

ଏହି ଗସ୍ତ ଅବସରରେ ଉପଜିଲ୍ଲାପାଳ ସ୍ଥାନୀୟ ଜନସାଧାରଣଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ବିଭିନ୍ନ ଅଭିଯୋଗ ଓ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ସମସ୍ୟାଗୁଡ଼ିକର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସେ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

ଉପଜିଲ୍ଲାପାଳଙ୍କ ଏହି ଅଚାନକ ଗସ୍ତ ପରେ ଚାରମାଳ ଅଞ୍ଚଳରେ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ସମେତ ଅନ୍ୟାନ୍ୟ ଜନସମସ୍ୟାର ସମାଧାନ ଦିଗରେ ପ୍ରଶାସନ କି ପଦକ୍ଷେପ ନେଉଛି, ତାହା ଉପରେ ସ୍ଥାନୀୟ ଲୋକଙ୍କ ନଜର ରହିଛି।

Spread the love

Leave a Reply

Your email address will not be published. Required fields are marked *