୧୫ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ଓ ୩ ଜଣଙ୍କୁ ରେଡକ୍ରସ୍ ପାଣ୍ଠିରୁ ମିଳିଲା ସହାୟତା
ବାରିପଦା, (ଓଡ଼ିଶ୍ରୀ ସମ୍ବାଦ): ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦାସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବାରିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ମୋଟ ୨୦୬ଟି ଅଭିଯୋଗର ଶୁଣାଣି କରାଯାଇଛି।
ଶିବିରରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ, ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ଦୁଃଖବନ୍ଧୁ ନାୟକ ଓ ଈଶ୍ୱର ଚନ୍ଦ୍ର ନାଏକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା, ବାରିପଦା ଉପଜିଲ୍ଲାପାଳ କସ୍ତୁରୀ ପଣ୍ଡା ଏବଂ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ପ୍ରଣୟ ରଞ୍ଜନ ବେହେରାଙ୍କ ସମେତ ବିଭିନ୍ନ ଅଧିକାରୀ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ।
ପ୍ରାପ୍ତ ତଥ୍ୟ ଅନୁଯାୟୀ, ମୋଟ ୨୦୬ଟି ଅଭିଯୋଗ ମଧ୍ୟରୁ ୧୭୧ଟି ବ୍ୟକ୍ତିଗତ ସମସ୍ୟା ସମ୍ପର୍କିତ ହୋଇଥିବା ବେଳେ ୩୫ଟି ଗ୍ରାମ୍ୟ ସମସ୍ୟା ସମ୍ପର୍କିତ ଥିଲା। ଏହାସହ ୧୫ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଏବଂ ୩ ଜଣଙ୍କୁ ରେଡକ୍ରସ୍ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।
ଶିବିରରେ ଗ୍ରହଣ କରାଯାଇଥିବା ବିଭିନ୍ନ ବିଭାଗ ସମ୍ପର୍କିତ ଅଭିଯୋଗଗୁଡ଼ିକର ଅନୁଧ୍ୟାନ କରି ଶୀଘ୍ର ସମାଧାନ କରିବାକୁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହି ଜନଶୁଣାଣି ଶିବିରରେ ବିଭିନ୍ନ ବିଭାଗର ଜିଲ୍ଲା, ଉପଖଣ୍ଡ ଓ ବ୍ଲକସ୍ତରୀୟ ଅଧିକାରୀମାନେ ଯୋଗଦେଇ ଅଭିଯୋଗ ଶୁଣାଣି ଓ ସମାଧାନ ପ୍ରକ୍ରିୟାରେ ସହଯୋଗ କରିଥିଲେ।
